Unknown

 

 

 

 

 

 

 

 

 

ଗୀତିକବିତା ସଂକଳନ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

 

(ଆଜି) ଦୀର୍ଘ ବାଦଲ ରାତି

 

ଭଙ୍ଗା ମୋର ଡଙ୍ଗା ଖଣ୍ଡିକ ଯାଉଛି ଭାସି

 

ଫୁଲଟି ଯେବେ ମୋର ଯାଏ ଝରି

କାଳୀଚରଣ ପଟ୍ଟନାୟକ

 

ଯେ ନୟନ ରଙ୍ଗ-ହରା

 

କବିତା ! ତୁମେ ଗୋ ଆଜି ଛନ୍ଦହରା

 

ବିତିଲା ତ ଯାମିନୀ ମଉଳିଲା କାମିନୀ

ବୈକୁଣ୍ଠନାଥ ପଟ୍ଟନାୟକ

 

ଜୀବନ ପାତ୍ର ମୋ ଭରିଛ କେତେ ମତେ

 

ତୁମେତ ଗଢ଼ିଲ ସୁନ୍ଦରତମ କରି

ପର୍ଶୁରାମ ପଟ୍ଟନାୟକ

 

ଝରିଝରି ଯାଏ ହରେକ ଫୁଲ ଗୋ

 

ମୋର ଫୁଲବନେ ଆସିବା ଆଗରୁ ଝଡ଼

 

ମାୟାବିନୀ ବନ ଜୋଛନା

ପାର୍ଥସାରଥୀ ମହାପାତ୍ର

 

ମୁଁ ଯେବେ ମନ ଖୋଲି

 

କିଏ ପିନ୍ଧିଥାଏ ସୁନାଚୁଡ଼ି

ନରସିଂହ ମହାପାତ୍ର

 

ଆଜି ପାହନା ରାତି

 

ଫୁଲ ରସିଆରେ....

 

ଦେଲେ ଧରା କଥା ସରେ

ଶିବବ୍ରତ ଦାସ

 

ନାଆଁଟି ହେବ ବୋଧହୁଏ

 

ମୁଁ ଯେ ପଦ୍ନବନର ବଧୂ

 

ନଦୀର ନାମ ଅଳସ କନ୍ୟା

ସ୍ନେହଲତା ମହାନ୍ତି

 

ଫଗୁଣ ଆସିଛି ଫେରି ଫୁଲର ଫସଲ ନେଇ

 

ଝରଖଝର ଗୀତି ସୁରେ ଝରିଯାଏ ଶ୍ରାବଣ

 

ଆଉ କେତେହୂର ଚାଲିବାକୁ ହେବ

ଜୀବନାନନ୍ଦ ପାଣି

 

ଆଗୋ ରାତିର ଏକାକିନୀ ବିହଗୀ

 

ସନ୍ନ୍ୟାସିନୀ ଗୋ ଚମ୍ପକ କଳି

 

ନୀଳକଇଁ ନୟନା

ରସରାଜ ନାରାୟଣ ପ୍ରସାଦ ସିଂହ

 

ସାଗରେ ଅଧୀର ନୀଳ ତରଙ୍ଗ

 

ଏକଇ ମନରେ ଅନେକ ବାସନା

 

ମନ କଥା ସବୁ କହିଛି

ଗୁରୁକୃଷ୍ଣ ଗୋସ୍ଵାମୀ

 

ଅନ୍ତରେ କାନ୍ଦେ ବାହାରେ ହସେ

 

ଅବନୀଗଂଧା ପ୍ରେମର ନୂଆ ନାଆଁ

 

ମୁଁ କାହାକୁ କି ଦେବି କୁହ

ମଙ୍ଗୁଳୁ ଚରଣ ବିଶ୍ଵାଳ

 

ଚିର ଅଭିସାରୀ ରାତ୍ରି ଗୋ ତୁମେ

 

ବଣର ପକ୍ଷୀ ମୁଁ କିପରି ବୁଝିବି

 

ଗଣିତ ମୋ କଷି ତୁମ ସହ କେବେ

ବିନୋଦିନୀ ଦେବୀ

 

ଏଇ କଳା ମୋର କଳଙ୍କ

 

ମୁଁ ତୁମ ବଧୂ ନୁହେଁ... ବନ୍ଧୁ

 

ଜଳ ତରଙ୍ଗ... ଜଳ ତରଙ୍ଗ

ଅକ୍ଷୟ କୁମାର ମହାନ୍ତି

 

ସ୍ମୃତି ତୁମେ ଶ୍ରାବଣ ରାତିରେ

 

ହେ ଫଗୁଣ ତୁମେ ଗଲା ପରେ ପରେ

 

ଆଗୋ ଝଡ଼ ରାତି ଦୀପ ଶିଖା

ଦୁର୍ଗାଚରଣ ପଟ୍ଟନାୟକ

 

ଜୀବନଟା ଆମ ଛନ୍ଦରେ ଭରା

 

‘ପ୍ରେମ’ ମାନେ ସତେ

 

ଏଇ ସୁନ୍ଦର ପୃଥିବୀରୁ ମନ ଯିବାପାଇଁ ଚାହେଁ ନାହିଁ

ପ୍ରେମଲତା ସାମଲ

 

ସଜାଡ଼ି ଦିଅନା ପାଦରେ ନୂପୁର

 

ବୟସ ହେ ତୁମେ ଚାଲିଗଲା ପରେ

 

ନିଜ ଦୁଃଖ ଲୁହ ନିଜେ ପିଇ ଦେଇ

ରଜନୀକାନ୍ତ ନାୟକ

 

ମରଣ ପରେ ମୋ ସମାଧି ଦେହରେ

 

ତୁମେ ଏତେ ଭଲ ବୋଲି

 

ଗୋରୀ ତୋ ମନେ ଛପି

କ୍ଷୀରୋଦ ଚନ୍ଦ୍ର ପୋଥାଳ

 

ଜହ୍ନ ଯେବେ ଲୁଚିଯାଏ

 

ସାଗର ବେଳାର ଶାମୁକାଟିଏ ମୁଁ

 

ଏମିତି ଫୁ’ଲ ଅନେକ ଅଛି

ପ୍ରଫୁଲ୍ଲ କର

 

ଦୁଃଖହାରୀ ହେ ! ସୁଖ ଯାଉଛି ସରି

 

ତୋର ଗୀତ ଗାଉ ଗାଉ

 

ଆହେ ବହୁରୂପୀ !

ଦେବେନ୍ଦ୍ର ଦାସ

 

ସୃଷ୍ଟି ଲାଗିବ ଭଲ

 

ଏଠି ଦୁନିଆରେ ପାପର ହିସାବ

 

ତୁମ ଗାଆଁ ମହୁମାଛି

ମିତ୍ରଭାନୁ ଗୌନ୍ତିଆ

 

ଧାରା ଶିରାବଣ ଝରୁଛି ଝରଣ

 

ଝିପିଝିପି ବର୍ଷା ଝରି

 

ଯେତେ ଭଉଣୀକୁ ସେତେ ବର

ନନ୍ଦକିଶୋର ସିଂହ

 

ସୂର୍ଯ୍ୟ ଉଠିଲେ ପ୍ରଥମେ ଚାହିଁବ

 

ସୁଷମା ଗୋ ତୁମ ଅଙ୍ଗେ ଭରା

 

ଫଗୁଣ ହେ ରଙ୍ଗ ଆଉ ଢାଳନା ଢାଳନା

ଗୌରହରି ଦଳାଇ

 

ଏବେ ଯଦି ଦେଖା ହେବ

 

ଆଉ ମୋତେ ଚିଠି ଦେବନି

 

ଯେତେଦୂର ଯାଅ ପଛେ

ବୃନ୍ଦାବନ ଜେନା

 

ଅନ୍ଧକାରେ ଯା’ରେ ଆଦରି

 

ପ୍ରୀତିକୁ କେବଳ ଆଖିର ଜଳରେ

 

ଏ ତ ଭଲ ହେଲା

ଗୌର ପଟ୍ଟନାୟକ

 

ବାହାରକୁ ସିନା ଦେଖୁଛ

 

ଆଗୋ ପ୍ରିୟତମା ଶେଷ ଅନୁରୋଧ

 

ଦୁନିଆରେ ଏମିତିକା କିଏ ଅଛି

ଶିବ କୁମାର ରଥ

 

ମନ ବଣିକରେ ବୋଇତରେ ତୋର

 

ସନ୍ଧ୍ୟା ତୁମେ କେଉଁ ବନ୍ଧା କବରୀରେ

 

ପବନରେ ନିତି ମନର କଥାକୁ

ସୁବାସ କର

 

ମାୟାବିନୀ ତୁମ ରୂପ ମଧୁଶାଳା

 

କୁଷ୍ଣଚୂଡ଼ାର ଶାଖାରେ ଶାଖାରେ

 

ସ୍ମୃତି ଗୋ... ତୁମେ ଚନ୍ଦ୍ରିକା ହୋଇ

ନରହରି ଦାଶ

 

ବାହା ପାଞ୍ଜି ତୋର ଫିଟୁ ନ ଫିଟୁଣୁ

 

କେମିତି ଭୁଲିବି ଅତୀତ ଆମର

 

ଚିରା ଶାଢ଼ିଟାରେ ତାଳି ପକାଇଲେ

ସୁରେନ୍ଦ୍ରନାଥ ବିଦ୍ୟାଧର

 

ତୁମକୁ ଭୁଲିତ ମୋ କବିତା କ୍ଷଣେ

 

ଜୀବନକୁ ଅତି ପାଖରୁ ଦେଖିଛି

 

କବି ତା’ ଜୀବନେ ପାଇବା ଠାରୁ ତ

ଅନ୍ତର୍ଯ୍ୟାମୀ ମିଶ୍ର

 

ବନହଂସୀ ଗୋ ପାଗଳ କରିଛ

 

ଜୀବନଟା ଏକ ପଦ୍ମ

 

ସାଥି ମୁଁ ଲେଖୁଛି ଚିଠି

ଦେବଦାସ ଛୋଟରାୟ

 

ସନ୍ଦେହୀ ପ୍ରିୟତମା

 

ଗାଁ ଏକଣାରେ ଅତି ଛୋଟ ଏକ କୁଡ଼ିଆ

 

ଅତି ବେଶିରେ ସେ ଷୋଳ କି ସତର ବରଷ

ସଂଗ୍ରାମ କେଶରୀ ମହାନ୍ତି

 

କୁଆଡ଼େ ଗଲା ସେ ଦିନ

 

ତୁମେ ଆସିବ ଆସିବ ବୋଲି ଆସିଲ ନାହିଁ

 

ଅନେକ ରାତିର ସ୍ଵପ୍ନ ଗୋ ତୁମେ

ସଚ୍ଚି ମହାନ୍ତି

 

ବାସି ପୁନେଇଁର ମଲାଜହ୍ନ ମୁହଁ

 

ସୂର୍ଯ୍ୟକୁ ଟିକେ ମାଗିଲି ତାତି ମୁଁ

 

ମୁଁ ଯେ ସାଗରୀକା

ମନୋରମା ବିଶ୍ଵାଳ ମହାପାତ୍ର

 

ଖିଆଲି ମନର କନ୍ଦନା ତୁମେ ଝରା ଶେଫାଳୀର ଗୀତି

 

ହଳଦୀ ବସନ୍ତ ଅଳସ ଲଗନେ ରହି ରହି ଡାକ ଦିଏ

 

ବଣୁଆ ନଈର ହାତ ପାପୁଲିରେ

ଉପେନ୍ଦ୍ର ପ୍ରସାଦ ନାୟକ

 

ଦିନ ବଦଳୁଛି ମନ ବଦଳୁଛି

 

ବଞ୍ଚିବାକୁ ଇଚ୍ଛା ମୋର

 

ଉଲ ପାଇବାର ମାନେ ମୁଁ ଖୋଜିଲି

ଲକ୍ଷ୍ମୀନାରାୟଣ ମହାନ୍ତି

 

କେବେ ତୁମେ ଅତି ନିଜର

 

ଭୁଲ ଚୁଝିପାରି ଯଦି ଆସ

 

ଆଜି ବି ସେ ନଈ ବହେ

କୀର୍ତ୍ତନ ନାରାୟଣ ପାଢ଼ୀ

 

ଭାବର ସାଗରୁ ଆଣି

 

ଚକୋରୀ ଗୋ ତୁମେ ଚିର

 

ତନୁରେ ତୁମର ଅମରାବତୀର

ଗୀତା ଝୁଣ୍ଟିଆ

 

ଏ ଜୀବନ ଏକ ସ୍ଵପ୍ନ

 

ଅଶ୍ରୁରେ ଲେଖା ଏ କବିତା

ପ୍ରଫୁଲ୍ଲ କୁମାର ଜେନା

 

ଶାମୁକା ସାଇତି ରଖେ

 

ଅନେକ ଫୁଲର ମହକ ତୁମେ ଗୋ

 

ବଞ୍ଚିବା ପାଇଁ ସାଥୀଟିଏ ଲୋଡ଼ା

ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ପ୍ରେମ ଚିର ଅମର

 

ଦୁନିଆରେ ଜୀବନଟା ଏମିତିକା ଗୀତଟିଏ

 

ହୃଦୟକୁ ଯଦି ଟିକେ ହୁଅନ୍ତା ଦେଖାଇ

 

 

ଅନ୍ନପୂର୍ଣ୍ଣା ନନ୍ଦ

 

ନବ ପଲ୍ଲବ ଶାଖାରେ ଶାଖାରେ

 

ଏମିତି ସକାଳ ନାହିଁ

 

ଆଖି ଲୁହ ସିନା କାନି ପୋଛିଦିଏ

ଅଲେଖ ଚନ୍ଦ୍ର ପଢ଼ିହାରୀ

 

ଜୀବନ ସନ୍ଧ୍ୟା ପରେ

 

ଅନେକ ରାଗର ରାଗିଣୀ ତୁମେ ଗୋ !

 

ତୁମରି ସ୍ମୃତିର ଭଷ୍ମ ଅଞ୍ଜଳି

ନିମାଇଁ ମହାନ୍ତି

 

ମୟୂରପଙ୍ଖୀ ଏଇ ମନ ମୋର

 

ସୁରା ନୁହେଁ ଥାଉ, ଢାଳି ଦିଅ ଟିକେ ସୁର

 

ମୁଁ ଏମିତି ସଳିତାଟିଏ

ହୃଷୀକେଶ ପଣ୍ଡା

 

ଚନ୍ଦ୍ରଭାଗାର ବେଳାଭୂମି ପରେ

 

ଏପାଖେ ଜଳୁଛି ଏନ୍ତୁଡ଼ିର ନିଆଁ

 

ତୁମେ ମୋ ମନର କଳାର କୋଣାର୍କ

କମଳ କୁମାର ପଟ୍ଟନାୟକ

 

ମୋର ଉଦାସୀ ମନର

 

ତୁମେ ତନ୍ଦ୍ରା ବିଭୋର ଘନ ତମସାର

 

ମୁଁ ଯେ ଦୀପତଳ ଛାଇ

ସତ୍ୟ ପଟ୍ଟନାୟକ

 

ବର୍ଷା ହେଲେ

 

କାଲି ଯଦି ଆମ ଦେଖାହୁଏ

 

ଆଜିକାଲି ଚର୍ଚ୍ଚା, ଏଇ ସହରେ

କୃତ୍ତିବାସ ନାୟକ

 

କି ଶୁଭବେଳାରେ ଭେଟିଥିଲେ

 

ପ୍ରଥମ ପ୍ରୀତିର ଗୀତିଭରା ଦିନ

 

ତୁମରି ସ୍ମୃତି ମୋ ହୃଦୟ କନ୍ଦରେ

ମନୋଜ ପଟ୍ଟନାୟକ

 

ଜୀବନ ସାଗର ମନ୍ଥନ କରି

 

ଶିଳ୍ପୀଟିଏ ମୁଁ ବଞ୍ଚିରହିବି

 

ପ୍ରେମ କରିବାକୁ

ମୀନାକ୍ଷୀ ଦେବୀ

 

ମୁଁ ତ ଜଳୁଛି ଯାତନା ନିଆଁରେ

 

ଫୁଲ ବଦଳେ ମିଳିବ ଫୁଲ

 

ସାଗର ବେଳାରେ କେତେ ପଦଚିହ୍ନ

ବିଷ୍ଣୁପ୍ରସାଦ ପଟ୍ଟନାୟକ

 

ମନ ଚାହେଁ ମନଟିଏ

 

ଆଖିର ଲୁହରେ ଜୀବନର ଗୀତ

 

ଜୀବନଟା ଏକ ଗୋଲାପର ଫୁଲ

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

୧୮୮୮-୧୯୫୩

 

।। ଏକ ।।

(ଆଜି) ଦୀର୍ଘ ବାଦଲ ରାତି

ଗୁରୁ ଗୁରୁ ଗୁରୁ ଘନ ଗରଜନ

ଦୂରୁ ଦୂରୁ ଦୂରୁ ଛାତି ।୦।

 

ଝକ ଝକ ଝକ ବିଜୁଳି ଚମକେ,

ଝମକି ଉଠଇ ବୁକୁ ଦକ ଦକେ,

ଆସୁଛି କି ସତେ ଏ ଘୋର ନିଶୀଥେ

ଆଜି ମୋ ପରାଣ ସାଥୀ ।୧।

 

ସନ ସନ ସନ ଉତଳା ପବନ

ଝମ ଝମ ବାରି ବରଷେ

ଝରଝର ଝରେ ନୟନ ଆଶାର

ବହଇ ଶ୍ଵାସ ଖର ସେ,

ଛନ ଛନ ଛନ ଅନ୍ତର ଭିତରେ,

ଘନ ଘନ ଘନ ଅପଘନ ଥରେ,

ଉଜାଗରେ ଚାହିଁ ନିଶି ଗଲା ପାହି

ବିଫଳ ଶୟନ ପାତି ।୨।

 

।। ଦୁଇ ।।

 

ଭଙ୍ଗା ମୋର ଡଙ୍ଗା ଖଣ୍ଡିକ ଯାଉଛି ଭାସି

କେଉଁ ଅଜଣା ରାଇଜେ କିସ ମନାସି ।୦।

 

ରତ ରତ ହେଉଛି ବେଳ

ଦରିଆରେ ନ ଦିଶେ କୂଳ

ମିଶିଯିବ ନିଶି ଅନ୍ଧାରେ ମନ ଉଦାସୀ ।୧।

 

ଅସରନ୍ତି ଢେଉକୁ ଢେଉ ଆସୁଛି ମାଡ଼ି

ଦଦରା ଏ ନାଆ ଖଣ୍ଡିକ ଯିବ କି ବୁଡ଼ି

କେହି ସାହା କୁଆଡ଼େ ନାହିଁ

ଏକୁଟିଆ ଯାଉଛି ବହି

ତାରାଟିଏ ଆକାଶ କୋଣେ ଚାହିଁଛି ଆସି ।୩।

 

।। ତିନି ।।

 

ଫୁଲଟି ଯେବେ ମୋର ଯାଏ ଝରି

ସେ ତୋ କୁଞ୍ଜବନେ ଯାଇ ଫୁଟାଇ ହେ

ଗୀତଟି ଯେବେ ମୋର ଯାଏ ସରି

ସେ ତୋ ଗୁଂଜରଣେ ଜାଗି ଉଠଇ ହେ ।୦।

 

ଏକାକୀ ବାଇ ବାଇ ଯେବେ ମୁଁ ଥକ୍କା ହୋଇ

ବିରାଗେ ବୀଣାଟିକୁ ଉହାଡ଼େ ଦିଏ ଥୋଇ ।

ଅସରା ସେ ସୁରଟି ଆକୁଳେ ଆସେ ଛୁଟି ।

ତୋର ବଂଶୀ ତାନେ ତାନେ ରଟଇ ହେ ।୧।

 

ବ୍ୟର୍ଥ ଜୀବନର ଲକ୍ଷ୍ୟ ବ୍ୟଥା ମମ

ବକ୍ଷେ ଫୁଟେ ତବ ରକ୍ତଜବା ସମ

ମୋ ନୟନ ନୀର ଧାର ଚରଣ ତଳେ ତୋର

ଅର୍ଘ୍ୟ ରୂପେ ପଡ଼ି ଲୋଟଇ ହେ ।୨।

Image

 

ଳାଳୀଚରଣ ପଟ୍ଟନାୟକ

୧୮୯୮-୧୯୭୮

 

।। ଏକ ।।

ଯେ ନୟନ ରଂଗ-ହରା ସାଜେ କି କଜଳ ଗିରା ?

ଯେ ଅଳି ଜାଣେ ନା ଗୁଣୁ ସେ କି ଫୁଲ ମନଚୋରା ? ।୦।

 

ଜୋଛନା ନ ଥାଇ ଶଶୀ

ସୁର ପାସୋରା ବଇଁଶୀ

କେଶହରା ଶିରେ ଖୋସା କି ଶୋଭା କୁସୁମ ଝରା ।୧।

 

ଯେ ମନରେ ନାହିଁ ରସ

ଭୁଲୁଛି ଯେ ମୁଖ ହସ,

‘‘ନିଆ’’ରେ ନଥିଲେ ଦିଆ, ନୁହେଁ କି ଛଳ-ଛୋପରା ? ।୨।

 

।। ଦୁଇ ।।

 

କବିତା ! ତୁମେ ଗୋ ଆଜି ଛନ୍ଦହରା

ପଥ ଭୁଲି ସିନା ଆସିଲ ମିଛେ ଗୋ, ଆଖି ଯେବେ ଲୁହ ଭରା ।୦।

 

ଆଜି ଏ କୁଞ୍ଜେ ମଉଳା ଫୁଲର ସଭା

ମୁକୁଳା ଦେଖ ଗୋ, ନବ ମଲ୍ଲୀକା ଗଭା

ଝରା ପାଖୁଡ଼ାର ଶେଯ ଲେଉଟାଇ

ପାଗଳ ପବନ ସୁବାସ ଖୋଜଇ, କୋଇଲି-କୁହୁ ପାଶୋରା ।୧।

 

ଯେ ଅନଳ ଜଳି ଆଲୋକୁ ଥିଲା ମୋ ଧରା

ସେ ଅନଳ ଆଜି ଜାଳି ମାରେ ସମଗରା,

କମଳିନୀ ଯା?ରେ ମରୁଥାଏ ଝୁରି

ଦୂରେ ଯାଏ ସେଇ ମଧୁକର ହେରି, ଅସହ ମିଳନ ଭାରା ।୨।

 

ଯାଇଛି ସେଦିନ ତୁମେ ଗୋ ଯେବେ କବିତା

ଘୁମ ନୟନରେ ଦେଖାଇ ଦିଅ ସବିତା

ସପନ ପରୀଟି ନିଶି ଶେଷେ ଆସି

ସେଦିନ ଚେତାଇ ଲେଖେ ଏବେ ବସି କପାଳରେ ଫଟା ଗିରା ।୩।

 

।। ତିନି ।।

 

ବିତିଲା ତ ଯାମିନୀ ମଉଳିଲା କାମିନୀ

ଗିରି ଶିରେ ଅନାଁରେ ଶଶୀ ମାଗେ ମେଲାଣି ।୦।

 

ମଳିନ ପ୍ରଦୀପ ଶିଖା ନୟନ କଜଳ ରେଖା

ନୀର ଝରି ସଖୀରେ, ଧାର ସାର ହେଲାଣି ।୧।

 

କହିବୁରେ ସମୁଜାଇ ମୋହନ ବଂଶୀ ବଜାଇ

ନିଶିଦିନ ସଜନୀ ! ରାଧା ଝୁରି ମଲାଣି ।୨।

 

ଚାହିଁ ଚାହିଁ ପଥ ନିତି କେତେ ସହେ ସହେ ଛାତି

କେଡ଼େ ଦଗାଦାର ସହି ! ତା କଣ୍ଟ ବଳିଗଲାଣି ।୩।

Image

 

ବୈକୁଣ୍ଠନାଥ ପଟ୍ଟନାୟକ

୧୯୦୪-୧୯୭୯

 

।। ଏକ ।।

 

ଜୀବନ ପାତ୍ର ମୋ ଭରିଛ କେତେ ମତେ

ନ ଦେଲେ କିଛି ବୋଲି କିହବି କି ହେ ଆଉ ?

ଜୀବନ ପ୍ରିୟତମ ହରିଛ ମୋ ଭରମ

ତରଣୀ ମୋର ତବ ସାଗରେ ବହିଯାଉ ।୦।

 

କୁଳର ଜନପ୍ରାଣୀ କେତେ ମିଳାଅ ଆଣି

ନୟନ ପଲକରେ ଲୁଚାଅ ଜାଣି ଜାଣି,

ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି

ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ ।୧।

 

ମାନସ-ହଂସ ମୁଁ ମାନସେ ଯିବି ଉଡ଼ି ।

ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,

ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା

ତୃପତ ହେଲା, ତେବେ ଲୋଡ଼ଇଁ ଏ ମରତ !

 

ନିଜ ବାସନା ଜାଲେ ବିକଳ ବିଧୃତ,

ତିମିର ଅଜ୍ଞାନେ ମିଳେ କି ଅମୃତ ?

ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି

ଲଂଘି ହିମଗିରି ଯିବି ଗୋ ବେଳ ଥାଉଁ ।୨।

 

ଦେଇଛ ପ୍ରିୟା ପ୍ରାଣେ ଅମର ପ୍ରୀତି ଭରି

ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା,

ପ୍ରଭାତ ସନ୍ଧ୍ୟାରେ ଖେଳାଇ ରୂପ ଢେଉ

ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା,

ଗାଇବି ବନ୍ଦୀ ମୁଁ ଚରଣ ବନ୍ଦନା,

ସେ ଲାଗି ଏ ବୀଣାରେ ଦେଇଛ ମୂର୍ଚ୍ଛନା,

ସେ ସୁଖ କରି ହେଳା ଲଗାଇଲି ମୁଁ ଖେଳା

ମିଳନ ମଧୁରାତି ପାହିଲା ଚାହୁଁ ଚାହୁଁ ।

ମିଥ୍ୟା ବିପଣୀରେ ବଣିଜ ମରଣ ଯେ

ନ ଚେତି ତିଳେ ଯାହା କଲି ମୋ ମଣି ଭାଉ !୩।

 

ପଉଷ ତରୁ ମୁଁ ଗୋ ପଳିତ ମୋ ପତର

ନିରାଶା ପରଶରେ ଝରିଛି ଅକାଳରେ

ନାହିଁ ତ ତେବେ ତିଳେ ଶୋଚନା ଖେଦ ମୋର

ହୃଦୟମଣି ମୋର ସାଗର ଅତଳରେ ।

 

ପରାଣ କୁଞ୍ଜେ ଗୋ ତାର ମୁରଲି ଧ୍ଵନି

ପରାଣ-ପବନେ ଗୋ ତା ଶୁଭ ଆଗମନୀ,

ଜୀବନେ ଦେବା ନେବା ଭିଆଣ ସବୁ ତାର

ସେ ମହାଦାନୀ ହସେ ପରାଣେ ଦେଖିନାହୁଁ ?

ତା’ ପରଶେ ପରଷ ଜୀର୍ଣ୍ଣ ଜୀବତରୁ

ପଲ୍ଲବିତ ଆହା ଶୋଚନା କିବା ଆଉ ? ।୪।

 

ଚାଲରେ ଚାଲ ମନ ନିତ୍ୟ ମଧୁବନ

ଦେଖିବୁ ପ୍ରିୟ ରାସ, ଅଦୂରେ ଗୋଲକରେ

ଅଦୂର ପଥେ ଆଜି ମିଳନ ତାର ସାଥେ

ବିଜୟ ରଥେ ତୋର ଜୀବନ ଆଲୋକରେ !

 

ଯାତ୍ରୀପଥ ତୋର ପଳକେ ହେବ ଶେଷ,

ଶେଷରେ ସନ୍ଦେହ ସକଳ ତୋର କ୍ଲେଶ,

ଧନ୍ୟ ହେବୁ ଆଜି ପୁଣ୍ୟ ଦରଶନେ,

କ୍ଷୁର୍ଣ୍ଣ ସବୁ ପାପ ଦୁଷ୍କୃତିରୁ ରାହୁ !

ଜୀବନ-ଦେବତା ମୋ ଜୀବନ ପଥେ ବିଜେ,

ତରଣୀ ମୋର ତାର ସାଗରେ ବହିଯାଉ ।୫।

 

।। ଦୁଇ ।।

 

ତୁମେତ ଗଢ଼ିଲ ସୁନ୍ଦରତମ କରି,

ମାଟି ମେଦ ଦେହ ଗର୍ବେ ଉଠିଲା ଭରି !

ଚାହାଣିରେ ମୋର ବୋଳିଲ ସ୍ୱପ୍ନାବେଶ,

ବଳାହକୁ ବଳି ଅନୁପମ କଲ କେଶ

ତୁମ ଦୃଷ୍ଟିରେ ପ୍ରିୟ ହେବ ବୋଲି

ଜାଣି ମୁକୁଳାଇ ଦେଲି,

ଚରଣ ଗତିକୁ ଏଣୀରୁ ଛଡ଼ାଇନେଲି ।।

 

ମୋ ହାସ ଲକ୍ଷି ଚନ୍ଦ୍ରକୁ କଲ ଚୋର,

ବନ୍ଦନା ଗାଇ ବାନ୍ଧିଲ ପ୍ରୀତି ଡୋର

ବିଶ୍ଵବନ୍ଦ୍ୟ ଚାଟୁକାର କବିଗୁରୁ,

ତୁମ ବାଣୀ ଶୁଣି କମ୍ପଇ ହିଆ ଦୂରୁ,

କିଏ କଲା ମୋତେ ସ୍ୱର୍ଗ ଅତୁଳ

ଅନବଦ୍ୟ ମୁଁ ଫୁଲ !

 

ଭାବନାରେ ହେଲି ଯାହା ନୋହିବାର

ହରାଇଲି ଥଳକୂଳ ।

ଫଲ ପରି ଯେବେ ସୁନ୍ଦର କଲ

ଏତିକି ହେ ଦୟା

ବିଶ୍ଵ ପୂଜାର ଯୋଗଁ ହୁଏ ମୁଁ

ତୁମ ପାଦେ ମିଳୁ ରାହା ।

Image

 

ପର୍ଶୁରାମ ପଟ୍ଟନାୟକ

୧୯୨୦

 

।। ଏକ ।।

ଝରିଝରି ଯାଏ ହରେକ ଫୁଲ ଗୋ

ମରି ମରି ଯାଏ ରଂଗ

ଦିନେ ଥିଲା ରଂଗ ଚହଟ ଚମକ

ଆଜି ମାଗେ ସବୁ ସଂଗ ।୦।

 

ନାଲି ହଳଦିଆ ଗୋଲାପୀ କାଳିଆ

ରଂଗକୁ ରଂଗ ଯେ ଆନ

ତୋ ମୋ ସେନେହ ସେପରି ସିନା ଲୋ

ଘଡ଼ିକେ ଘଡ଼ିକେ ଭିନ୍ନ

ଆସିକେ କହିବ ଆନ ଲୋ

ମରି ମରି ଯାଏ ରଂଗ ।୧।

 

ଫିକା ଆକାଶରେ ଚୂନା ଚୂନା ମେଘ

ଖରା କି ବରଷା ନାହିଁ

ତୋ ମୋ ପୀରତି ବୁଝିବା ଶକତି

ଧରାରେ କାହାର ନାହିଁ

ଖୋଜିକେ ପାଇବ କାହିଁ ଲୋ

ମରି ମରିଯାଏ ରଂଗ ।୨।

 

।। ଦୁଇ ।।

 

ମୋର ଫୁଲବନେ ଆସିବା ଆଗରୁ ଝଡ଼

ଉଡ଼ିଯାଅ ତୁମେ ମୋ ପ୍ରିୟ କାପୋତୀ

ଛାଡ଼ି ଦେଇ ନିଜ ନୀଡ଼ ।୦।

 

କାଳ ବୈଶାଖୀ ଯେ କରିଦେବ ଦୂର

କେତେ ଆପଣାର କାନନୀକା ମୋର

ହଜିଯିବ ସହ ପ୍ରୀତି ସଉରଭ

ଧୂଳି ଧୂସରିତ ମୋର ।୧।

 

ଏଇ ବନେ କେତେ ହସିଛ ଉଡ଼ିଛ

ଶିଶିରର ଲୁହ ଫୁଲରୁ ପୋଛିଛି

(ଆଜି) ସହି ପାରିବିନି ଝଡ଼ର ଯାତନା

ଆକାଶେ ଆକାଶେ ଉଡ଼ ।୨।

 

।। ତିନି ।।

 

ମାୟାବିନୀ ବନ ଜୋଛନା

ଛାୟା ମାୟା ଗହନେ

ତନୁ ମନ ଦହନେ

ନିଶିଥିନୀ ପାଏ ଚେତନା

ହୁଁ- ମାୟାବିନୀ ବନ ଜୋଛନା ।୦।

 

ହଂସ ମିଥୁନ ସ୍ଵପ୍ନ ବିଭୋରେ

ଫାଲଗୁନେ ଫେରିଯାଏ

ସଂଜ ସକାଳେ ନିଶି ବିଜନେ

କଳ୍ପନା ଆଙ୍କିଯାଏ

ମାଗେ ମଧୁ କଳ୍ପନା, କଳ୍ପନା, କଳ୍ପନା

ହୁଁ-ମାୟାବିନୀ ବନ ଜୋଛନା ।୧।

 

ଉର୍ମି ଅଧୀରା ମୁଗ୍ଧ ଯମୁନା

ବଂଶୀ ଯେ ଡାକିଦିଏ

ଛନ୍ଦେ ତାହାରି ରାତ୍ରିର ରାଧା

ଗଂଧରେ ଖୋଜିପାଏ

 

କୁହୁ କୁହୁ ମୂର୍ଛନା ମୂର୍ଚ୍ଛନା-ମୂର୍ଚ୍ଛନା

ହୁଁ-ମାୟାବିନୀ ବନ ଜୋଛନା ।୨।

Image

 

ପାର୍ଥସାରଥୀ ମହାପାତ୍ର

୧୯୨୫

 

।। ଏକ ।।

ମୁଁ ଯେବେ ମନ ଖୋଲି ଗୀତ ପଦେ ଉଠେ ଗାଇ

ସେ ଆସି ଓଠେ ମୋର ହାତ ତାର ଦିଏ ଛୁଇଁ

‘‘ନା ନା ଗାଅନା’’ କାନେ କାନେ ଯାଏ ଖାଲି କହି ।୦।

 

ମନର କଥା ତୁମ ମୋ ଲାଗି ଖାଲି ଥାଉ

ସହି ମୁଁ ପାରିବିନି ଶୁଣିଲେ କେହି ଆଉ ।

ଗାଇଲେ ଗାଆ ଆସି ଏକା ମୋ ପାଖେ ବସି

ଗୀତଟି ଗୁଣୁ ଗୁଣୁ ହୋଇ ।୧।

 

ଏ ନୁହେଁ ମିଛ ସତ କବିର ହାତ ଲେଖା

ତୁମରି ସୁରେ ଏ ତ ମରମ ମଧୁମଖା

ମଧୁର ସେଇ ସୁର ଅତି ମୋ ଆପଣାର

ସାଇତା ହୋଇ ରହୁ ଖାଲି ମୋ ପାଇଁ ।୨।

 

।। ଦୁଇ ॥

 

କିଏ ପିନ୍ଧିଥାଏ ସୁନାଚୂଡ଼ି ସାଥେ

କାଚଚୂଡ଼ି କେତେ ଛଟକେ

ତୁମ ହାତେ ଖାଲି କାଚ ଦି’ପଟ

ମରକତ ପରି ଝଟକେ ।୦।

କିଏ ସୁଖ ପାଏ ବନାରସୀ ପାଟଶାଢ଼ୀରେ

କାହାର ଶରଧା ତାରକସୀ ଫୁଲ କଢ଼ିରେ

ତୁମରି ଗଭାରେ ସଜଫୁଟା ମଲ୍ଲୀ ହସିଲେ

ନାଲିଆ କସତା କାନିଟିକ ଖାଲି ଦିଶିଲେ

ବାଟ ମଝିଟାରେ ଚାଲି ଯାଉଥିବା

ବାଟୋଇର ଆଖି ଅଟକେ ।୧।

ଦେଇନାହଁ ବୋଲି ଭାବନି କରୁଛି ଚାତର

ମନ କରିଥିଲେ ଛାର କଥା ଏତ ମାତର

ଭଲ ଦିଶେ ବୋଲି କହିଲି କିବା ମୁଁ ଏତିକି

ମନକୁ ନଗଲେ କହିଲା ମୋ କଥା ସେତିକି

ଅଲଣା ରାଗକୁ ଖୋସାମତି ପଣ

ଲେଖାନାହିଁ ମୋର ଜାତକେ ।୨।

Image

 

ନରସିଂହ ମହାପାତ୍ର

୧୯୨୬

।। ଏକ ।।

ଆଜି ପାହନା ରାତି

ପକ୍ଷୀ ଗାଅନା ମାତି

ଭାଂଗିଯିବ ମୋ ପ୍ରିୟାର

ମଧୁ ତନ୍ଦ୍ରା ନିଶା ତାତି ।୦।

 

ସପନେ ଦେଶେ ବୁଲୁଛି ସେ ଯେ

ମୋ ଡାକ ନାହିଁ ଶୁଭେ

ପରଶ ଦେଇ ଡାକିଛି ଧୀରେ

ହସର ଲେଖା ଲିଭେ

ତାର ନିଥର ଛାତି

ହେଲା ଏକି ବିରତି ।୧।

 

ନଜାଗେ ଯେବେ ମୋ ମନ ମିତ

ଆଜି ଏ ରାତି ଶେଷେ

ପାହୁଚି କିଆଁ କାଲିର ରାତି

ଏ ଧରା କିଆଁ ହସେ

ଗାଅ ମୃତ୍ୟୁର ଗୀତି

ଭୁଲି ମୃତ୍ୟୁର ଭୀତି ।୨।

 

।। ଦୁଇ ।।

 

ଫୁଲ ରସିଆରେ...

ମନ ମୋର ଛୁଇଁ ଛୁଇଁ ଯା’ ଯା

ମୋ’ ଲାଗି ବିକଶି ଚାହିଁଛି ଏ କୁଂଜେ

ଗୁଂଜନ ଦେଇ ଯା’...ଯା’ ।୦।

 

ଯାଅନାରେ ଫେରି ଆସି ପାଶେ ଯା’ନା

ଗାଅ ମନଭରି କରନା ତୁ ମନା

ଝୁରିଲେ କି ଆଉ ଆସିବ ସେଦିନ

ହସି ଲୋଟି ଗାଇ ଯା'...ଯା' ।୧।

 

ସାଜି କେତେ କୁଂଜେ କେତେ ଫୁଲ ଶେଯେ

ମହକ ଛୁଟାଇ ମରେ ନିତି ଲାଜେ

ଲାଜ ତେଜି ଆଜି କରୁଛି ଅରଜି

ଥରେ ଧରେ ଚାହିଁ ଯା’- ଯା' ।୨।

 

।। ତିନି ।।

 

ଦେଲେ ଧରା କଥା ସରେ, ଥାଏ ମଜା ଦୂରେ ଦୂରେ

ଅଳି ପାଶେ ନାହିଁ ଗଲେ, ଫୁଟା ଫୁଲ ଝୁରି ମରେ ।୦।

 

କରେ ଅଧୀର ଥିରି ପବନ, ମନ ଚହଲେ ରଚି ସପନ

ସେଇ ସପନେ ଦିଅ ହଜାଇ ତୁମ ନିରସ ମନ ଭିଜାଇ

ତୁମେ ନାହଁ ସପନରେ ଏକା ସତେ ଦେଖି ଡରେ ।୧।

 

ଛୁଏଁ ମରମ ଯାହା ପରଶେ, ଆସ ଭୁଲାଇ ନିଅ ହରଷେ

ଭୁଲା ନୁହେଁ ସେ ରହେ ଦୂରେଇ ହୁଏ ମାନିନୀ, ନେଲେ ମନାଇ

ଜାଣେ ଯେବେ ଆସି ପାଶେ ମାନ ଭାଂଗି ନେବ ତା’ରେ ।୨।

Image

 

ଶିବବ୍ରତ ଦାସ

୧୯୩୦

 

।। ଏକ ।।

ନାଆଁଟି ହେବ ବୋଧହୁଏ ବା ଚନ୍ଦ୍ରକଳା ତାର

ଆଖିରେ ସାତ ସାଗର ଭରା ନୀଳ

ଚିବୁକ ଧାରେ ଥିଲା କି ନାଇଁ କିଏ ବା କହିପାର

ଅନେକ ଛୋଟ ଭଅଁର କଳା ତିଳ ।୦।

 

ଓଠର କୋଣେ ଫାଲ୍‌ଗୁନର ମଳୟ ହାସ ରଚି

ଇଙ୍ଗିତରେ କହିଲା ମୋତେ ତୁମକୁ ଚିହ୍ନିଅଛି

ଝିଲିମିଲି ତା’ କାନର ଫୁଲେ ତାରକା ସରଗର

ସବୁକି ଆସି ସତରେ ହେଲେ ଠୁଳ ।୧।

 

ଅଳେଇଚର ଦ୍ଵୀପରେ ଅବା କନଉଜର ପଥେ

ବିମ୍ୱିସାର ରାଜସଭାରେ ଦେଖିଚି କେବେ ମୋତେ

ମୁଁ କୁଆଡ଼େ ତାକୁଇ ଦିନେ ଦେଇଚି ଉପହାର

ଉଦ୍ୟାନର ବାରଣକରା ଫଳ ।୨।

 

।। ଦୁଇ ।।

 

ମୁଁ ଯେ ପଦ୍ମବନର ବଧୂ

ସୂର୍ଯ୍ୟକୁ ମୋର ମନ ଦେଇଛି ମୁଁ

ଭ୍ରମରେ ଦେଇଛି ମଧୁ ।୦।

 

ତପନ ଆଦରେ ଏ ମନ ଆଖିରେ

ସପନ ଦିଏ ଗୋ ବୋଳି

ଅଧରରୁ ଖାଲି ମଧୁ ପିଇ ପିଇ

ଗୁଞ୍ଜନ କରେ ଅଳି

ସୂର୍ଯ୍ୟ ସୋହାଗୀ ପଦ୍ମିନୀ ମୁଁ ଯେ

ଅଝଟ ଅଳି ମୋ ବନ୍ଧୁ ।୧।

 

ଅରୁଣ ବା ଅଳି କେହି ନୁହେଁ ପର

ମୁଁ ଯେ ସରସୀର ରାଧା

ମଧୁଲିଟ ଯେବେ ମାଗିନେଲା ମୋର

ସଞ୍ଚିତ ସବୁ ସୁଧା

ସୂର୍ଯ୍ୟ ପାଇଁକି ରଖିଚି ସାଇତି ।

ଶିଶିର ଲୋତକ ବିନ୍ଦୁ ।୨।

 

।। ତିନି ।।

 

ନଦୀର ନାମ ଅଳସ କନ୍ୟା

ତୀରର ନାମ ତନ୍ଦ୍ରା

ଗ୍ରାମର ନାମ ସ୍ଵପ୍ନପୁରୀ

ପ୍ରିୟାର ନାମ ଚନ୍ଦ୍ରା ।୦।

ଆଖିର ନାମ ଶାମୁକା ତା’ର

ଲୁହର ନାମ ମୁକ୍ତା

ପ୍ରେମର ନାମ ପଦ୍ମମଧୁ

ବିରହ ନାମ ରିକ୍ତା

(ତା’ର) ଈର୍ଷା ନାମ ପ୍ରଭଞ୍ଜନ ।

ଅନୁରାଗେ ସେ ଭଦ୍ରା ।୧।

ପ୍ରଥମ ଛୁଆଁ କଦମ୍ବଫୁଲ

କଥାର ନାମ ବଂଶୀ

ବେପଥୁ ନାମ ପତ୍ରଝରା

ମନ ତା ବନହଂସୀ

(ତା’ର) ଲାଜର ନାମ କୃଷ୍ଣଚୂଡ଼ା

ଚୁମ୍ବନ ତା ନିଦ୍ରା ।୨।

Image

 

ସ୍ନେହଲତା ମହାନ୍ତି

୧୯୩୨

 

।। ଏକ ।।

ଫଗୁଣ ଆସିଚି ଫେରି ଫୁଲର ଫସଲ ନେଇ

କୁଞ୍ଜ, କୁଞ୍ଜେ ବାଳେ ଗୁଞ୍ଜନ ସାହାନାଇ ।୦।

କୋକିଳ କଣ୍ଠେ ପୂରବୀ

ବକୁଳେ ମଧୁ ସୁରଭି,

ମଳୟେ ମାଦକ ମାୟା

ମନରେ ଶୀତଳ ନିଆଁ,

ହୃଦୟ ହ୍ରଦେ ଫୁଟାଏ ସପନର ନୀଳ କଇଁ ।୧।

ଆକାଶେ ଜୋଛନା ହସେ

ପୁଲକେ ପରାଣ ଭାସେ,

ସଂଗୀତର ସୁରେ ସୁରେ

ପ୍ରୀତି ଗୀତି ସୁଧା ଝରେ,

ଆବେଗେ ଉଛୁଳି ଉଠେ ଜୀବନ-ଯମୁନା ନଈ ।୨।

ଅଳସୀ ନଦୀର ଧାରା

ନିଶିଥିନୀ ନିଦହରା

କଳପନା ତୂଳିକାରେ

ରଂଗର ଝରଣା ଝରେ

ଏ ଅନନ୍ୟ ଅନୁଭବ ଏଇ ମଧୁମାସ ପାଇଁ ।୩।

 

।। ଦୁଇ ।।

 

ଝର ଝର ଗୀତି ସୁରେ ଝରିଯାଏ ଶ୍ରାବଣ

ମେଘମୟ ଏ ଆକାଶ ମଧୁର ଏ ଲଗନ ।୦।

 

ଶିରି ଶିରି ସମୀରଣ ତନୁ ମନ ପରଶେ,

ମରମେ ମରମେ ନବ କଳପନା ବିଳସେ

କବିତାରେ ରୂପ ପାଏ ସୀମାହୀନ ସପନ ।୧।

 

ଧରା ଏବେ ଅନୁରାଗମୟୀ ନବ ରୂପସୀ

କୁସୁମିତା-ସୁରଭିତା- ଅନୁପମା-ଅଳସୀ

ତଟିନୀ ତନୁରେ ଖେଳେ ବୟସର ଫଗୁଣ ।୨।

 

ଶ୍ୟାମଳ ଏ ଶ୍ରାବଣର ଭିଜା ଭିଜା ରାତିରେ

ମନ କାହିଁ ଭାସିଯାଏ ଦୂରେ ସ୍ମୃତି- ସ୍ରୋତରେ

ଜଣାଶୁଣା ସ୍ଵର କରେ ଅତୀତରେ ମଗନ ।୩।

 

॥ ତିନି ।।

 

ଆଉ କେତେଦୂର ଚାଲିବାକୁ ହେବ ସେକଥା ମୁଁ ଜାଣେ ନାହିଁ

ପଛେ କେତେ ବାଟ ଛାଡ଼ି ଆସିଲିଣି ତାହାକୁ ବି ମାପି ନାହିଁ ।୦।

ଥକିଲା ପାଦରେ ତଥାପି ଚାଲୁଚି

ଆଖି ହୋଇ ଆସେ ବୁଜି

ପାନ୍ଥଶାଳାର ପତାକାକୁ ଖୋଜି

ଦେହ ମନ ଯାଏ ସିଝି

ଚଉଦିଗ ସାରା ଖରା ଆଉ ଖରା

ସପନ ଟିକିଏ ଛାଇ ।୧।

ମରମ ନିଗାଡ଼ି ମମତା ଭରିଚି

ଶୂନ୍ୟ ଜୀବନେ ଯା’ର

ବିନିମୟେ ଆଜି ତା’ ଲାଗି ହେଉଚି

ଲହୁ, ଲୁହେ ଜରଜର

ଶୋଷରେ ଜଳୁଚି ତଥାପି ଜିଇଁଚି

ସେଇ ଲୁହ ଲହୁ ପିଇ ।୨।

ଜହର ପିଆ ଏ ଜୀବନ-ଫୁଲରୁ

ତଥାପି ଝରୁଚି ମହୁ

ଜଳୁଥିବା ମନ ଦେଖୁଚି ସପନ

ଭୁଲୁଚି ଦହନ ଦାଉ

ଦିନ ସରିଯିବ ଖରା ମଉଳିବ

ହେଲେ ସେ ଝରିବ ନାହିଁ ।୩।

Image

 

ଜୀବନାନନ୍ଦ ପାଣି

୧୯୩୩

 

।। ଏକ ।।

ଆଗୋ ରାତିର ଏକାକିନୀ ବିହଗୀ

କୁହନା -କୁହନା-

ସେ ଗାଆଁରେ କିଆ ଫୁଲ ଆଉ କି ଫୁଟେନା ।୦।

 

ମହୁଲ ଗଂଧେ ଆଉ କି ମହୁମାଛି

ବାଟ ଭୁଲି ଅବାଟରେ ଯାଏନା

ବନ ହରିଣୀ ରାତିରେ ବେସୁରା ବଇଁଶୀ ଶୁଣି

କୁଳମାନ ତେଜି ଛୁଟି ଯାଏନା

କୁହନା-କୁହନା-

ସେ ଗାଆଁରେ ମନ ଫୁଲ ଆଉ କି ଫୁଟେନା ।୧।

 

ପରଦେଶୀ ମେଘ ଦେଖି ଲାଜୁକି ମୟୂରୀ ଯେତେ

ଲୁଚି ଚନ୍ଦ୍ରିକା ତୋଳି ନାଚେନା

ରୂପମତୀ ତଟିନୀ କି ନବୀନା ଅଂଗ ମହକ

ଭଉଁରୀରେ ଘୂରି ଘୂରି ଖୋଜେନା

କୁହନା-କୁହନା-

ସେ ଗାଆଁରେ ଦେହ ଫୁଲ ଆଉ କି ଫୁଟେନା ।୩।

 

।। ଦୁଇ ।।

 

ସନ୍ୟାସିନୀ ଗୋ ଚମ୍ପକ କଳି, ଆସିଛି ମୁଁ ଆଜି ଅଳି

ଅଦେୟ ତୁମର ପ୍ରଣୟେ ଦେବାକୁ ଅମାନିଆ ବୁକୁ ଜାଳି ।୦।

ଗୁଂଜନେ ମମ ଗୁଂଜରି ଉଠୁ

ତୁମରି ମଉନୀ ବୀଣା

ମନ ଅଂଗନେ ଲେଖିଦିଏଁ ଆଜି

ସପନର ଆଳପନା

ତୁମେ ହୁଅ ମାୟା କନକର ତୀର, ମୁଁ ଯେ’ ସାଗର ଲହରୀ

ଛୁଇଁବାକୁ ତୁମ ତନୁ ରେଖା ମୁଁ ତ ଆସୁଥିବି ଫେରି ଫେରି

ସନ୍ୟାସିନୀ ଗୋ ଚମ୍ପକ କଳି... ।୧।

ମିଛେ କିପାଁ ସାଜ ପୂଜାରିଣୀ ତୁମେ

ପାଷାଣ-ପ୍ରତିମା ପାଇଁ

କୁମାରୀ ହୋଇ ଗୋ ଫୁଟିଅଛ ଯଦି

ଝର ପ୍ରଣୟିନୀ ହୋଇ

ପ୍ରିୟ ବାନ୍ଧବୀ ବରି ନିଅ ଆଜି ମୋତେ ଆପଣାର କରି

ଅଦେୟ କିଛି ଗୋ ରଖନାହିଁ ଆଜି ଭୁଲିଯିବ ପଛେ କାଲି

ସନ୍ୟାସିନୀ ଗୋ ଚମ୍ପକ କଳି... ।୨।

 

।। ତିନି ।।

 

ନୀଳକଇଁ ନୟନା

ମୋତେ ଆଉ ଡାକନା

ଆକାଶେ ମୁଁ ମଲାଜହ୍ନ ନିଭିଛି ମୋ ଜୋଛନା ।୧।

 

ଆକାଶର ନୀଳିମା

ଆଉ ଡେରି କରନା

ମୋ ପାଖରୁ ନିଅ ମୋତେ ବାକି କିଛି ରଖନା

ଚାହେଁ ନା ମୁଁ ହେବା ପାଇଁ ସୂର୍ଯ୍ୟର ଖେଳନା

ଆକାଶେ ମୁଁ ମଲାଜହ୍ନ ନିଭିଛି ମୋ ଜୋଛନା ।୨।

 

ଚାତକିନୀ ମାନିନୀ

ମିଛେ ଆଉ ଝୁରନା

ପିପାସାର ଚିଠି ଆଉ ମୋ ନାଆଁରେ ଲେଖନା

ମୁଁ ଏବେ ତ ଜାଣେ ନାହିଁ ମୋ ନିଜର ଠିକଣା

ଆକାଶେ ମୁଁ ମଲାଜହ୍ନ ନିଭିଛି ମୋ ଜୋଛନା ।୩।

Image

 

ରସରାଜ ନାରାୟଣ ପ୍ରସାଦ ସିଂହ

୧୯୩୩

 

।। ଏକ ।।

ସାଗରେ ଅଧୀର ନୀଳ ତରଙ୍ଗ

ଆକାଶେ କଜଳ ମେଘର ରଂଗ ।୦।

 

ଧୂସର ମାଟିର ଶ୍ୟାମଳୀ କନ୍ୟା

ତନୁରେ ଛୁଟାଇ ରୂପର ବନ୍ୟା

ବରଷା ପ୍ରିୟର ଲଭିଛି ସଂଗ ।୧।

 

ଶୀତଳ ସମୀର ଫୁଲର ଗନ୍ଧେ

ବାଜଇ ଚପଳ ମଧୁର ଛନ୍ଦେ

ବିଳାସୀ ମେଘର ଜଳ ତରଂଗ ।୨।

 

।। ଦୁଇ ॥

 

ଏକଇ ମନରେ ଅନେକ ବାସନା

ଏକଇ ଦେହରେ ଅନେକ ଯାତନା ।୦।

 

ଏକଇ ଫୁଲରେ ଅନେକ ସୁରଭି

ଅନେକ ଦୁଃଖରେ ଏକଇ ଦରଦୀ

ଏକଇ ଚନ୍ଦ୍ରେ ଅନେକ ଜୋଛନା ।୧।

 

ଏକଇ ତନ୍ଦ୍ରା ଅନେକ ସପନ

ଅନେକ ବାସନା ଏକଇ ଜୀବନ

ଏକଇ ପ୍ରେମରେ ଅନେକ ସାଧନା ।୨।

 

।। ତିନି ।।

 

ମନ କଥା ସବୁ କହିଛି ମୋର ରାଧାକୁ

ଆଉ ସାକ୍ଷୀ ତା’ର ଅଛି ଲଳିତା

ଆଉ ଯାହା ବାକି ରହିଛି

ସେ’ତ ଦୁଇଟି ଆଖିର କବିତା ।୦।

 

ବକୁଳ ବନର ମହକେ ଯେବେ ଆକୁଳ ହୋଇଛି ସମୀର

ଶୀତଳ ପବନ ସଭାରେ ଯେବେ ବରଷା ରଚିଛି ନୁପୂର

ଉଦାସୀ ଆଖିର ଚାହାଣୀ

ଦେଖି ଆଙ୍କିଛି ମନେ ଛବି ତା’ ।୧।

 

ଚଇତି ଛୁଇଁଲେ ଛାତିରେ ମୋର ସାଥୀ ହୋଇ ଅଭିସାରିକା

ଖୋଜିଛି ଶିଶିର ଶେଯରେ ଝୁରି କମଳ ବନର ନାୟିକା

ସେଇ ଆଖି ଲୁହେ ହାରିଛି

ହସେ ବିଜୟିନୀ ସାଜି ବନିତା ।୨।

Image

 

ଗୁରୁକୃଷ୍ଣ ଗୋସ୍ଵାମୀ

୧୯୩୪

 

।। ଏକ ।।

ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏଇ ମୋର ପରିଚୟ

ମରି ସାରିଛି ମୁଁ ତେବେ ବି କରୁଚି ବଂଚିବା ଅଭିନୟ ।୦।

 

ମାଟିର ଦେହରୁ ପ୍ରାଣ ଚାଲିଗଲେ ସିଏତ ମରଣ ନୁହେଁ

ଏ ମଣିଷ ମରେ ଜୀବନରୁ ଯେବେ ନୂତନତା ଚାଲିଯାଏ,

ବାକି ରହିଯାଏ ଜୀବନର ବୋଝ ଯାହା ଅତି ଦୂରୁବହ ।୧।

 

ମୋର ଏ ଜନ୍ମେ ଭାଗ୍ୟ ମୋ ପାଇଁ ଅଦିନ ଝଞ୍ଜା ହୋଇ

ଅଧରରୁ ହସ ଆଖିରୁ ସପନ ଗଲା ତ ଉଡ଼ାଇ ନେଇ

କରି ଦେଇଗଲା ଦୁନିଆଁରେ ମୋତେ ଚିରଦିନ ଅସହାୟ ।୨।

 

।। ଦୁଇ।।

 

ଅବନୀ ଗଂଧା-ପ୍ରେମର ନୂଆ ନାଆଁ

ମୁଁ ଦେଇଛି ଭାବି ଭାବି ହେବ ବୋଲି ମନଛୁଆଁ ।୦।

 

ଦୁନିଆରେ ମଣିଷର ଯଉବନ ସକାଳରେ

ଆପେ ଆପେ ଏଇ ଫୁଲ ଫୁଟେ ମନ ବଗିଚାରେ,

ପୃଥିବୀର ସବୁ ଦେଶେ

ଏ ଫୁଲ ଫୁଟି ହସେ,

ଯା’ ଦେହେ ଇନ୍ଦ୍ରଧନୁ ଦେଇଯାଏ ନିତି ଛୁଆଁ ।୧।

 

ରଜନୀଗଂଧା ଫୁଟେ ରଜନୀ ମହକି ଯାଏ

ଅବନୀଗଂଧା ଫୁଟେ ଅବନୀ ଉଛୁଳି ଯାଏ,

ପୃଥିବୀର ସବୁ ଦେଶେ

ଏଇ ଫୁଲ ଫୁଟି ବାସେ

ଯେ’ ମହକ ମଦଭରା ଦିଏ ନିଶା ନୂଆ ନୂଆ ।୨।

 

।। ତିନି ॥

 

ମୁଁ କାହାକୁ କି ଦେବି କୁହ,

ସକାଳ ମାଗୁଛି ଲହୁ, ସଂଜ ମାଗୁଛି ଲୁହ ।୦।

 

ଆଶା ତ ପାତିଛି କାନି

ମୁଠାଏ ଅୟସ ପାଇଁ,

ନିରାଶା କରୁଚି ଅଳି

ହେବ ସେ ଆୟୁଷ ଛାଇ,

ଆକାଶ ବି ଚାହେଁ ସୀମା, କାହୁଁ ମୁଁ ଆଣିବି କୁହ ? ।୧।

 

ସପନ ମେଲାଣି ମାଗେ

ହେବ ସେ ସନ୍ୟାସିନୀ,

ମମତା ମହୁରା ଚାହେଁ

କହେ ଆଉ ଜିଇଁବନି,

ସଂଶୟ ଧୂଳିଝଡ଼େ ଚଳୁନି ଆଉ ମୋ ଦିହ ।୨।

Image

 

ମଙ୍ଗୁଳୁ ଚରଣ ବିଶ୍ୱାଳ

୧୯୩୫

 

।। ଏକ ।।

ଚିର ଅଭିସାରୀ ରାତ୍ରି ଗୋ ତୁମେ ଉଦାସେ ପଡ଼ିଲ ଶୋଇ

ଚିର ଉଜାଗର ଅବଶ ଆଖିରେ ଆସ ଥରେ ନିଦ ହୋଇ ।୦।

 

ତୁମେ ଦିନେ ଥିଲ ମୋ ମନ ଆକାଶେ ଜଡ଼ିତ ତଡ଼ିତ ଲତା

କହ କେଉଁଠାରେ ହଜାଇ ଦେଲ ଗୋ ଅଗଣାର ଚପଳତା

ମୟୁରକଂଠୀ ମେଘ ଉତ୍ତରି କୋଳେ କାର ଦେଲ ଥୋଇ ।୧।

 

ଆନତ ନୟନେ କୁରରୀ ଆଖିର ଚଂଚଳ ବେଗ ଭରି

କମନୀୟ ତୁମ କୃଷ୍ଣ କବରୀ ମନ ରଖିଥିଲା ଧରି

କାହିଁକି କହଗୋ ଟଳଟଳ ଜଳ ଦେଲା ଗୋ କଜଳ ଧୋଇ ।୨।

 

ରୂପ ପୂଜାରୀ ମୁଁ ଆହତ ବେଦନା ପାରୁନାହିଁ ଆଉ ସହି

ତୁମ କବରୀର ଅଂଧ ଅଂଧାର ମରମକୁ ଦିଏ ଦହି

ବିବଶ ବିକଳ ଏ ଜୀବନେ ଆସ ଶାନ୍ତ ସକାଳ ହୋଇ ।୩।

 

।। ଦୁଇ ।।

 

ବଣର ପକ୍ଷୀ ମୁଁ କିପରି ବୁଝିବି ସୁନା ପଂଜୁରୀର ମୂଲ

ତୁମକୁ ମୋ ରାଣ ବନ୍ଦାଅନା ମୋତେ ହେବି କି ମୁଁ ତାର ତୁଲ ।୦।

 

ଖୋଜୁଛି ମୁ ସଦା ମୋ ପୁରୁଣା ବଣ ଗହଳ ଶାଖାର ଛାଇ

ମନ ମୋ ଝୁରୁଛି ମୋ ବନକୁ ମୁହଁ ତା’ ଗୀତ ମରମେ ଗାଇ

ମୋ’ ଠାରୁ ତ ମୋତେ ଛଡ଼ାଇ ନେଉଛି ବନ ଝରଣାର କୂଳ ।୧।

 

ଏ ରାଜ ଉଆସ ରାଜ ଉପବନ ଦୁଧଭାତ ବାସ ପାଣି

ଏ ବନଚାରୀକୁ ଅଲଗା ଲାଗୁଛି ସୁଆଦ ପାରୁନି ଜାଣି

ମୋ ଖୁସି ପାଇଁକି ରାଜ ଉପଭୋଗ ସବୁତ କରିଛି ଠୁଳ ।୨।

 

ମୋ ବନ ବିହଗୀ ଉଦାସ ଆଖିରେ ମନ କରିଥିବ ଭାରି

ତା' ଥକା ଡେଣାରେ ପାହି ଯାଉଥିବ କେତେ ଘନ ବିଭାବରି

ଡାକୁଛି ମୋ ବଣ ମୋ ଶିମୁଳୀ ଶାଖା ଡାକୁଛି ପାହାଡ଼ଚୂଳ ।୩।

 

।। ତିନି ।।

 

ଗଣିତ ମୋ କଷି ତୁମ ସହ କେବେ ହୋଇପାରିଲିନି ଗଣା

କେମିତି କହିବି ଦରପଣ ହେବି ମରମ ନଥାଇ ଜଣା ।୦।

 

ଦେହ ଦେଉଳରେ ଦିଅଁ ଯେ ନାହାନ୍ତି ପାରୁନାହିଁ ଦେଇ ମନ

କେମିତି ନାଚିବ ମନର ମୟୂରୀ ନଭେ ଦେଖି ନବଘନ

ଆସ ଆସ ବୋଲି ପରାଣ ପାରାକୁ ଦେବି କେଉଁମତେ ପଣା ।୧।

 

ଆନ ପାଇଁ ଯଦି ଦରଦ ନାହିଁ ମୋ କଲବଲ ନୁହେଁ ଛାତି

ସକାଳ ପାଇଁକି ଆସିବ ଆସିବ ହୁଏନା କେବେ ମୋ ରାତି

ତୁମ ସହ ମୋର ‘‘ଲଟ’’ ଲାଗିବାଟା କେଉଁ ଗଣିତରେ ଗଣା ।୨।

Image

 

ବିନୋଦିନୀ ଦେବୀ

୧୯୩୭

 

।। ଏକ ।।

ଏଇ କଳା ମୋର କଳଙ୍କ

ମରମରେ ମୋର ରକ୍ତର ଛିଟା

ଏଇ ମୋ ମଥାର ତିଳକ

ଏଇ କଳା ମୋର କଳଙ୍କ ।୦।

 

ଏ କଳଙ୍କ ମୋର ମରମ ମରୁରେ ମରୁ ଝର

ସାତ ଶୋଷିଲାର ଶତ କଳପିତ ନୀର ଧାର

ଏ କଳଙ୍କ ମୋର ଶୋକରେ ଶୋକର ଅଶୋକ ।୧।

 

ଅମଡ଼ା ବାଟର ଉଦାସୀ ଯାତ୍ରୀ

ଏ କଳଙ୍କ ମାରି ମଥାରେ ଟୀକା

ମରୁ ପଥୁକୀ ମୁଁ ଅସରା ମୋ ପଥ

ଅମା ଅଂଧାରେ ଚାଲିଚି ଏକା

ଏଇ କଳା ମୋର ଆଖିର ତାରକା

ଏ କଳଙ୍କ...ମୋର ଆଲୋକ ।୨।

 

।।ଦୁଇ।।

 

ମୁଁ ତୁମ ବଧୂ ନୁହେଁ... ବଂଧୁ

ମୁଁ ନୁହେଁ ଶାମୁକାରେ ବିନ୍ଦୁଏ ମୁକ୍ତା

ମୁଁ ଅଚଳ-ଅଥଳ-ଅକୂଳ-ମହାସିନ୍ଧୁ ।୦।

 

ମୁଁ ନୁହେଁ ସୁଷମାଘେରା ଛୋଟ ଏକ ନଅର

ବଳୟର ଏ ପାରିରୁ ସେ ପାରେ ମୋ ସହର

ମୁଁ ନୁହେଁ ଶିଉଳିର ବାସ୍ନା

ମୋ ଜୀବନ ସୁରଭିତ ଜ୍ୟୋସ୍ନା

ମୁଁ ନୁହେଁ ଶାମୁକାରେ ବିନ୍ଦୁଏ ମୁକ୍ତା

ମୁଁ ଅଚଳ-ଅଥଳ-ଅକୂଳ-ମହାସିନ୍ଧୁ ।୨।

 

ଫୁଲ ଏଠି ଫୁଟେ ସିନା ଫୁଟି ପୁଣି ଝରିବାକୁ

ମନ ଏଠି ମିଶେ ସିନା ମିଶି ପୁଣି ଝୁରିବାକୁ

ଆମେ ଯିବା ଆମ ପାଇଁ

ସେତୁବନ୍ଧ ବାନ୍ଧି ଦେଇ

ଅକାଟ-ଅତୁଟ-ଅମିଟ-ଆମେ ବଂଧୁ ।୨।

 

।। ତିନି ।।

 

ଜଳ ତରଂଗ...ଜଳ ତରଂଗ

ତରଳ ତନୁର ତନିମାରେ ତୋ'ର

ତରଳ ରାତିର ରଂଗ

ଜଳ ତରଂଗ,.. ଜଳ ତରଂଗ ।୦।

 

ତୀର କବରୀରେ ଗୋଟିକିଆ ସେଇ

ଏକାକିନୀ ତାରା ଫୁଲ

ନିଛାଟିଆ ଅମା ପାହାନ୍ତି ପହରେ

ସତେ ଅବା ନିଆଁ ଝୁଲ

ତୋ' ଛାତି ତଳର କଳା ଆରସିରେ

ଖୋଜି ହୁଏ ତୋ’ର ସଂଗ

ଜଳ ତରଂଗ-ଜଳ ତରଂଗ,.. ।୧।

 

ତରଂଗେ ତରଂଗେ ନାଚି ନାଚି ତୁମେ

ଆଲୁଅ ଛାଇର ମେଳ

ତୋ’ ମନ ମୋ ମନ ଉଦାସୀ ଉଦାସୀ

ଧୂପ ଛାଇ ଛାଇ ଖେଳ

କେ ବୁଝିବ କହ ଏ ଛାଇରେ ଅଛି

ପିପାସା କି ପ୍ରେମ ରାଗ

ଜଳ ତରଂଗ...ଜଳ ତରଂଗ ।୨।

Image

 

ଅକ୍ଷୟ କୁମାର ମହାନ୍ତି

୧୯୩୭-୨୦୦୨

 

।। ଏକ ।।

ସ୍ମୃତି ତୁମେ ଶ୍ରାବଣ ରାତିରେ ଅଦେଖା ଚଇତି ଛୁଅଁ

ସ୍ମୃତି ତୁମେ ପାଉଁଶ ତଳର ନିଆଁ ।୦।

 

ସ୍ମୃତି ତୁମେ ନର୍ତ୍ତକୀଘେରା ମନ୍ଦିର ମୁଖଶାଳା

ସ୍ମୃତି ତୁମେ ଝାଉଁବନ ଫାଙ୍କେ କରୁଣ ଚନ୍ଦ୍ରକଳା

ସ୍ମୃତି ତୁମେ ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଆଁ

ସ୍ମୃତି ତୁମେ ବିଗତ ପ୍ରିୟାର ଗାଆଁ ।୧।

 

ସ୍ମୃତି ତୁମେ ତୁଠ ପଥରରେ ଫିକା ଅଳତାର ଦାଗ

ସ୍ମୃତି ତୁମେ ବିଧବା ଲଲାଟେ ଦାରୁଣ ଅସ୍ତରାଗ

ସ୍ମୃତି ତୁମେ ଅଫେରା ନଦୀରେ କାଗଜ ତିଆରି ନାଆ

ସ୍ମୃତି ତୁମେ ମୋର ଅତି ପ୍ରିୟତମ ‘ଆହା’ ।୨।

 

।।ଦୁଇ ।।

 

ହେ ଫଗୁଣ ତୁମେ ଗଲା ପରେ ପରେ

ଅନେକ ଯାତନା ଏଠି

ଲୁହରେ ଲେଖୁଛି କବିତା ଆଜି ମୁଁ

ଲହୁରେ ଲେଖୁଛି ଚିଠି ।୦।

 

ତୁମେ ଗଲା ପରେ ଏଇ ବଗିଚାରେ

ଲାଗିଗଲା ନିଆଁ ଦିନେ

ଅନେକ ଗୋଲାପ ପିଆସି ଆତ୍ମା ।

କାନ୍ଦ ଯେ ଶୁଭୁଛି ବନେ

ପାଉଁଶ ତଳୁ ମୁଁ ଆଜିବି ଖୋଜୁଛି

ତୁମରି ଗୋଲାପି ଚିଠି ।୧।

 

କାହାକୁ ଦେବି ମୁଁ ଦୋଷ ଆଜି କୁହ

ଛାଡ଼ି ଚାଲିଗଲା ବୋଲି

ନିଜ ବୟସକୁ ନେହୁରା କରି ମୁଁ

ଧରି ରଖି କି ପାରିଲି ।

ଏ ସାରା ରଜନୀ କାନ୍ଦୁଛି ଆଜି ମୁଁ

ନିଜେ ପଢ଼ି ନିଜ ଚିଠି ।୨।

 

।। ତିନି ।।

 

ଆଗୋ ଝଡ଼ ରାତି ଦୀପ ଶିଖା

ତୁମ ଠିକଣାରେ ଏଇତ ପ୍ରଥମ

ଏଇ ଶେଷ ପତ୍ରଲେଖା ।୦।

 

ସମୟର କଳାପଣତ ଛାଇରେ

ତୁମେ ଟିକେ ନୀରବତା

ପ୍ରଥମ ସକାଳ ଲେଖି ଯେ ଦେଇଛି

ତୁମ ଶେଷ ଦିନ କଥା

ତୁମରି କୁଟୀର ଆଗରେ କାଟିଛ

ତୁମେ ହିଁ ତିନୋଟି ରେଖା ।୧।

 

ତୁମ ଆଶା ଏକ ଦିଗହଜା ନଦୀ

ଦୁଇ କୂଳେ ମରୁବାଲି

ତୁମ ଦୁନିଆରେ ଅଛି ଶୀତ ଅବା

ନାହିଁ କାହିଁ ଚଇତାଳି

ରହିଯିବ ତୁମ କାହାଣୀ ହୁଏତ

ଚିରଦିନ ଅଧାଲେଖା ।୨।

Image

 

ଦୁର୍ଗାଚରଣ ପଟ୍ଟନୀୟକ

୧୯୩୯

 

।। ଏକ ।।

ଜୀବନଟା ଆମ ଛନ୍ଦରେ ଭରା

ଛଳଛଳ ଏକ ନଈ,

ବହିଯାଏ ସିଏ ସୁଖ ଦୁଃଖର

ଦୁଇ କୂଳ ଛୁଇଁ ଛୁଇଁ ।୦।

ଆଶା ନିରାଶା

ସେ ନଈଧାରା

ବୁକୁର ବ୍ୟଥା

ଲୁହ ଅସରା

ଉଦୟ ଠାରୁ ଅସ୍ତ ଯାଏଁ ଜୀବନ ଯାଏ ବହି... ।୧।

ଆଖିର ଲୁହ

ଓଠରେ ହସ

କେବେ ପୁନିଅଁ

କେବେ ଉଆସ

ଜୁଆର ଭଟ୍ଟା ଆସେ ଅନେକ କାଳ କାଳକ ପାଇଁ... ।୨।

ଏମିତି ଏକ

ସମୟ ଆସେ

ବୟସ ତାପେ

ଶୁଖି ଯାଏ ସେ

ତାହାରି ଗୀତ କେବେ ବି କାହା କାନରେ ପଡ଼େ ନାହିଁ ।୩।

 

।। ଦୁଇ ।।

 

‘ପ୍ରେମ’ ମାନେ ସତେ

କେ’ ପାରିବ କହି

ଭୁଲେନି ଯାହାକୁ ମନ

ଯା ପାଇଁ ପାଗଳ

ହେଉଚି ମଣିଷ

ଦୁନିଆଁରେ ସବୁଦିନ ।୦।

 

ନଈକୁ ଦେଖିଲି

ବାଟେ ଯାଉ ଯାଉ

ପଚାରିଲି ସେଇ କଥା,

ଦେଲା ସେ ଉତ୍ତର

‘‘ପ୍ରେମ କିଛି ନୁହେ’’

ଦୁଇଟି ମନର ବ୍ୟଥା,

ଭଅଁରଟି କହେ ପ୍ରେମ ପରା ଏକ ‘‘ପ୍ରୀତିର ମଧୁ ଗୁଞ୍ଜନ’’ ।୧।

 

ସାଗର କହଇ

ସୁନେଲି ଲଗନେ

ପ୍ରେମ ଅସୁମାରି ଆଶା,

ସପନ ରାଇଜେ

ଘୂରାଏ ସେ ନିତି

ମୁହଁରେ ନ ଦେଇ ଭାଷା

ଫୁଲ ପୁଣି କହେ ପ୍ରେମ ପରା ସତ ‘‘ଜୀବନର ସମର୍ପଣ’’... ।୨।

 

।। ତିନି ॥

 

ଏଇ ସୁନ୍ଦର ପୃଥିବୀରୁ ମନ ଯିବାପାଇଁ ଚାହେଁ ନାହିଁ,

ଭୁଲିଯାଏ ସିଏ ମରଣ ଯେ ଆସି ଡାକିବ ଦୁଆରେ ଥାଇ ।୦।

ମନ ଚାହେଁ ନିତି

ଦୁନିଆ ଭିତରେ

ସରାଗରେ ଯିବ ବୁଡ଼ି,

ହେଲେ ଭାବେ ନାହିଁ

ଆସିଲେ ଗ୍ରୀଷ୍ମ ।

ଯିବ ସିଏ ଜଳିପୋଡ଼ି

ସୁଖର ଆଶାରେ ଜିଇଁବାକୁ ହେବ ଲୁହର ସାହାରା ନେଇ ।୧।

ଦିନେ ନା ଦିନେ ତ

ଏଇ ଦୁନିଆକୁ

ଏ ମଣିଷ ଛାଡ଼ିଯିବ,

ଯେତେ ଥାଉ ଅବା

ପୀରତି ମମତା

ସବୁ ମିଛ ପାଲଟିବ

ସେଇଥିପାଇଁ ତ ଜୀବନ କେବେ କାହାର ବି ହୋଇ ନାହିଁ ।୨।

Image

 

ପ୍ରେମଲତା ସାମଲ

୧୯୩୯

 

।। ଏକ ।।

ସଜାଡ଼ି ଦିଅନା ପାଦରେ ନୂପୁର

ଅଳତାର ଚିତା ଲେଖି

ଛନ୍ଦହରା ମୁଁ ଯେ ନର୍ତ୍ତକୀ ଆଜି

ମୁଁ ଏକ ଆହତ ପକ୍ଷୀ ।୦।

 

ରୂପ ରସ ହୀନ ବିରହୀ ନାୟିକା

କଣ୍ଠେ ମୋ ବେସୁରା ଗୀତି

ବିରହରେ ସରୁ ଏ ନୃତ୍ୟ ତରଙ୍ଗ

ପାହିଯାଉ କାଳ ରାତି

ହୀରାଫୁଲେ ଆଉ ସଜାଅନି ଗଭା

ଘୁମାଇ ପଡ଼େ ମୋ ଆଖ ।୧।

 

ପଟ୍ଟଭୂମି ମୋର ସଜାଇ ଦିଅନା

ରେଶମୀ କାଞ୍ଚଲା ଟାଣି

ବାହୁରେ ଦିଅନା ଗୁନ୍ଥା ମୋତି ହାର

ମୁଁ ଯେ ଆଜି ପାଗଳିନୀ

ଅବଶ ପାଦ ମୋ ରହି ରହି ଯାଏ

ନିଜକୁ ପାରେନା ଦେଖି ।୨।

 

।। ଦୁଇ ।।

 

ବୟସ ହେ ତୁମେ ଚାଲିଗଲା ପରେ

ବହୁତ ଯାତନାପାଇ

ବଞ୍ଚିବାଠାରୁ ଯେ ମରିବାଟାଭଲ

କାହାକୁ ପାରେନା କହି ।୦।

 

ବୟସ ଥିଲା ମୋ, ଥିଲେ ଯେ ନିଜର

ଏହି ମୋ କୁଟୁମ୍ବ ଭାଇ

ଧନ ଦେଉଥିଲି ମନ ଦେଉଥିଲି

ମୁଣ୍ଡଝାଳ ତୁଣ୍ଡେ ବୋହି,

ଧନ ନାହିଁ ଆଜି ଭିକାରୀ ପରି ମୁଁ

କେହି ବି ପଚାରେ ନାହିଁ

ରୋଗଗ୍ରସ୍ତ ହୋଇ ପଡ଼ିରହିଅଛି ।

ଦେହ ମୋର ଚଳୁ ନାହିଁ ।୧।

 

ଦେଇଥିଲି ଯାହା ଏଇ ଦୁନିଆକୁ

କାହାରି ମନରେ ନାହିଁ

ଅଲୋଡ଼ା ଜୀବନ ସବୁରି ପାଇଁ ମୁଁ

ନୀରବେ ଯାଇଛି ରହି,

ଯୌବନ ତୁମେ ଛାଡ଼ି ଚାଲିଗଲ

ଫଗୁଣ ଯେ ଆସେ ନାହିଁ

ମାୟା ମମତାର ତାଜ ତୋଳି ତୁମେ

ଗଢ଼ି ଭାଂଗି ଦିଅ କାହିଁ ।୨।

 

।। ତିନି ।।

 

ନିଜ ଦୁଃଖ ଲୁହ ନିଜେ ପିଇ ଦେଇ

ନଦୀ ସମ ଗଲି ବୋହି

ସବୁ ଯାତନାକୁ ମଥାରେ ବୋହି ମୁଁ

ପାଷାଣ ଯାଇଛି ହୋଇ ।୦।

ଏଇ ଦୁନିଆରେ ତୁମ ବିନା ମୋର

ନିଜର କେହି ତ ନାହିଁ

କହିବି ଏତିକି ନିଜ ବୋଲି ତୁମେ

ଲୁହ ପୋଛି ଦେବା ପାଇଁ

କହିବାକୁ ଯେବେ ଭାବେ ମୁଁ ଅନେକ

କିଛି କହିପାରେ ନାହିଁ ।୧।

ତୁମ ପରି ବନ୍ଧୁ ପାଇଲେ ଜୀବନେ

ମନ ସିନା ପୂରିଯିବ

ଦରଦୀ ବନ୍ଧୁ ହେ କଥା କହି ଥରେ

ମରମକୁ ଛୁଇଁଦେବ

ସେ ମନକୁ ନେଇ ଏ ମନରେ ଥୋଇ

ଆପଣା କରିଛି ମୁହିଁ ।୨।

Image

 

ରଜନୀକାନ୍ତ ନାୟକ

୧୯୩୯

 

।।ଏକ ॥

ମରଣ ପରେ ମୋ ସମାଧି ଦେହରେ

ଦୀପଟେ ନ ଦେଲେ ନାହିଁ

ନିଜ ହାତେ ଥରେ ସଜାଇ ଦେବ ଗୋ

ରଜନୀଗଂଧା ଦେଇ... ।୦।

 

ପ୍ରେମିକା ଭୂମିକା ଛାଡ଼ିଯିବ ଯେବେ

ଅନ୍ୟ କା’ର ବଧୂଂ ହୋଇ ।

ତମ ସବାରୀକୁ ନବ କହି ଟିକେ

ମୋ ସମାଧି ବାଟ ଦେଇ

ମୁଁ ଦେଖିବି ତୁମ ନବବଧୂ ବେଶ

ଖାଲି ଥରଟିଏ ପାଇ... ।୧।

 

ତମ ଜୀବନରେ ଘୋଟିଗଲେ କେବେ

ଉଦାସୀ ମେଘର ଛାୟା

ସମାଧିର ତଳୁ ରୂପ ନେବି ମୁହିଁ

ଅଶରିରୀ ଏକ କାୟା

ତମ ଚଲାପଥ କଣ୍ଟକ ତୋଳି

ବରଷିବି ଫୁଲ ହୋଇ ।୨।

 

।। ଦୁଇ ।।

 

ତମେ ଏତେ ଭଲ ବୋଲି କାହାକୁ କହିନି

କାଳେ ଆଉ କିଏ ଭଲପାଇବ ।

କା’ ଆଖିର ନିଦ କିଆଁ ହଜିବ ମୋ ପରି

ସିଏ ପୁଣି ରାତି ରାତି ଚେଇଁବ ।୦।

 

ତମେ ଆସି ମୋ ହୃଦୟ ସାହାରାରେ

ମରୁନଦୀ ହୋଇ ଛପିଯାଅ

କିବା କେଉଁ ଏକ ଦୀପଶିଖା ତଳେ

ଛାଇ ହୋଇ ଲୁଚି ରହିଯାଅ

ତମେ ଆସି ଇସାରାରେ ମୋ ସଂଗେ କଥାହୁଅ

କାଳେ କିଏ ତମ କଥା ଶୁଣିବ

ସିଏ ପୁଣି ରାତି ରାତି ଚେଇଁବ ।୧।

 

ତମ ସେଇ ଦେହ ପଦୁଅଁ ବାସରେ

(ନିଜେ) ନିଜକୁ ଯାଏ ମୁଁ ଭୁଲି

ଚୁପ୍‌ଚାପ୍‌ ଦେଖୁଥାଏ ବସି ମୁଁ ଯେ

(ତମ) ଓଠ ଦୁଇ ନାଲି ନାଲି

ଧୀରେ ଧୀରେ ଆସି ପାଖେ ଯାଅ ବସି

କାଳେ କିଏ ତମ ଦେହ ଛୁଇଁବ

ସିଏ ପୁଣି ରାତି ରାତି ଚେଇଁବ ।୨।

 

॥ ତିନି ।।

 

ଗୋରୀ ତୋ ମନେ ଛପି

ରହିଲେ କେତେ ପାପୀ

ଲେଖିଲା ଯେ ତୋ’ରି ମନେ ପୀରତି ଶିଳାଲିପି

ମୁହିଁ ସେ ପବିତ୍ର ପାପୀ ।୦।

ଶିଶିରେ ଲେଖିଚି ମୁହିଁ

ଆରେ ମୋର ନୀଳ କଇଁ

ମୋ ଭଲ ପାଇବା ଭାଷା

ଶ୍ୟାମଳ ସରାଗ ଦେଇ ।

ସାଜିଚି ତୋ ପାଇଁ ଯିଏ ସେ ବହୁରୂପୀ

ମୁହିଁ ସେ ପବିତ୍ର ପାପୀ ।୧।

ଥିଲୁ ଯେବେ ସୂର୍ଯ୍ୟମୁଖୀ

ଦିବସ ରଂଗ ମାଖି

ହୋଇ ମୁଁ ପ୍ରଜାପତି

ଖେଳିଚି ତୋ ରୂପ ଦେଖି

ହାରିଛି ତୋ ପ୍ରେମରେ ଯିଏ ସେ ମାପିଚୁପି

ମୁହିଁ ସେ ପବିତ୍ର ପାପୀ ।୨।

Image

 

କ୍ଷୀରୋଦ ଚନ୍ଦ୍ର ପୋଥାଳ

୧୯୩୯-୨୦୧୨

।। ଏକ ।।

ଜହ୍ନ ଯେବେ ଲୁଚିଯାଏ

ଭସାଣିଆ ବାଦଲ ଭିତରେ

ଧରାପଡ଼ିଯ।ଏ ସେ’ତ

ମୋ ପ୍ରିୟାର କାନି ପଣତରେ ।୦।

 

କୁନି କୁନି ତାରାମାନେ, ଆଖି ଠରାଠରି ହୋଇ

ଆକାଶର ନୀଳିମାରେ, ଝାସ ଦେଲେ ଲାଜପାଇ

ରଜନୀଗନ୍ଧାର ବାସ

ମଉଳିଲା ମୋ ପ୍ରିୟା ଓଠରେ ।୧।

 

ବହଳ ଅନ୍ଧାର କାଟି, ରୂପେଲି ଜୋଛନା ରାଶି

ମୋ ପ୍ରିୟାର ଅଂଗନରେ, ଖେଳି ବୁଲୁଥିଲା ଆସି

ପାଇଲି ମୁଁ ସତେ ଅବା

ଜହ୍ନଟିକି ମୋହରି ହାତରେ ।୨।

 

।। ଦୁଇ ॥

 

ସାଗର ବେଳାର ଶାମୁକାଟିଏ ମୁଁ

ସାଉଁଟି ନିଅନା ମତେ

ଏଇ ବାଲିଶେଯେ ଶୋଇ ରହି ମୁଁ ଯେ

ସପନ ଦେଖୁଚି କେତେ ।୦।

 

ସହିଛି ଅନେକ ସାଗରର ଢେଉ

ସହିବାକୁ କିଛି ବାକି ନାହିଁ ଆଉ

ଶତ ଝଡ଼ ଝଂଜା ବିତିଯାଇଛି ମୋ

ଜୀବନର ଚଲାପଥେ ।୧।

 

ଝାଉଁବଣ ଡେଇଁ ଝରିଲେ ଜୋଛନା

ହସିବ ସାଗର ହୋଇ ଆନମନା

ସେଇ ହସ ସାଥେ ହଜାଇ ନିଜକୁ

ହସିବି ମୁଁ ତା’ର ସାଥେ ।୨।

 

।। ତିନି ॥

 

ଏମିତି ଫୁଲ ଅନେକ ଅଛି ବାସନା ଯା’ର ନାହିଁ

ଏମିତି ହସ ଅନେକ ଅଛି ପାରେନା ମନ ଛୁଇଁ ।୦।

 

ଏମିତି ଦିନ ଆସେ ଜୀବନେ

ହୁଏନା କେବେ ଭୁଲି

ଏମିତି ସୁଖ ଅନେକ ଆସେ

ନିମିଷେ ଯାଏ ଚାଲି

ଏମିତି କଥା ଅନେକ ଅଛି

ହୁଏନା ତେବେ କହି ।୧।

 

ଏମିତି ମନ ଅନେକ ଅଛି

ମରିନି ଯାର ଶୋଷ

ଏମିତି ହୁଃଖ ଅନେକ ଅଛି

ଯାହାର ନାହିଁ ଶେଷ

ଏମିତି ଲୁହ ଅନେକ ଅଛି

ପାରିନି ଯାହା ବହି ।୨।

Image

 

ପ୍ରଫୁଲ୍ଲ କର

୧୯୩୯

 

।।ଏକ ॥

ଦୁଃଖହାରୀହେ ! ସୁଖ ଯାଉଛି ସରି

ସୁଖ ବୋଲି ଯାହା ଆଦରି ଥିଲି ମୁଁ

ଦୁଃଖର ଭାରରେ ହୋଇଲା ଭାରି ।୦।

 

ଭାଇ, ବନ୍ଧୁ, ଜ୍ଞାତି, ସନ୍ତାନ ସନ୍ତତି

ପିତା, ମାତା, ସ୍ତିରି ଅଛନ୍ତି ଘେରି

ସୁଖରେ ସଭିଏଁ ହୁଅନ୍ତି ନିଜର

ଦୁଃଖରେ ଦିଅନ୍ତି ମନୁ ପାସୋରି ।୧।

 

ହୀରା ବୋଲି ଯାହା ସାଇତି ଥିଲି ମୁଁ

କାଚ ହୋଇଗଲା ପେଡ଼ିରେ ଥାଇ

ଧର୍ମ ବୋଲି ଯାହା ସଞ୍ଚି ରଖିଥିଲି

ଅଧର୍ମ ସୁଅରେ ଗଲା ସେ ବହି ।୨।

 

ତୁମେ ମୋର ସୁଖ, ମୁଁ ତୁମର ଦୁଃଖ

ଚିନ୍ତାରେ ବୁଡ଼ିଛି, ଏକଥା ଭାବି

ତୁମେ ଦୟା କଲେ ମୋ ଦୁଃଖ ସରିବ

ହେଲେ କି ସୁଖ ମୁଁ ତୁମକୁ ଦେବି ।୩।

 

ନିଜ ଅବଗୁଣେ ପାପରେ ବୁଡ଼ିଲି

ତୁମକୁ କିଆଁ ମୁଁ ନିନ୍ଦିବି ହରି

ତଥାପି ତୁମକୁ ଆଶ୍ରା ମୁଁ କରିଛି

ନ ହେଲେ ନରକେ ଯିବି ମୁଁ ବୁଡ଼ି ।୪।

 

।। ଦୁଇ ।।

 

ତୋର ଗୀତ ଗାଉ ଗାଉ, ମୋର ଯଦି ଗଲା ପ୍ରାଣ,

ଜାଣିବି କାଳିଆ ମତେ ହେଲୁରେ ପ୍ରସନ୍ନ ।

ମୋ ଡୋଳାରେ ଥିଲେ ଲାଖି, ତୋ କଳାବଦନ ଛବି,

ଜାଣିବି କାଳିଆ ମତେ ହେଲୁରେ ପ୍ରସନ୍ନ ।୦।

 

କଣ୍ଠେ ମୋ ରୁଦ୍ଧ ହୋଇ ଥିବ ତୋ ନାମ

ଝରୁଥିବ ମୋ ଶ୍ରବଣେ ତୋର ଭଜନ

ଥିବ ତୋର ଛଡ଼ାମାଳ ମୋ ମଥା ପରେ

ଦେହ ଆବରଣ ଥିବ ନାମାବଳିରେ

ମୋର ତୁଣ୍ଡେ ଥିବ ଯଦି, ତୋର ତୁଳସୀ ଚନ୍ଦନ

ଜାଣିବି କାଳିଆ ମତେ ହେଲୁରେ ପ୍ରସନ୍ନ ।୧।

 

ଭାଇ ବନ୍ଧୁ ବାନ୍ଧୁଥିବେ, କୋକେଇ ମୋର

ପ୍ରାଣ ମୋର ଥିବ ଯାଇ, ଚରଣେ ତୋର

କିଏ କେତେ କାନ୍ଦୁଥିବେ ହୃଦ ଫଟେଇ

ମୁହିଁ ହସୁଥିବି ତୋର ଦରଶନ ପାଇ

ତୁ କହନ୍ତୁ ଯଦି ମୋର ନାହିଁ ପୁନର ଜନମ

ଜାଣିବି କାଳିଆ ମୋତେ ହେଲୁରେ ପ୍ରସନ୍ନ ।୨।

 

।। ତିନି ।।

 

ଆହେ ବହୁରୂପୀ !

ତୁମେ, ଏତେ ରୂପ ଏତେ ନାମରେ ପ୍ରକାଶ

କେମିତି ପାରିବି ଜପି ।୦।

 

କେତେବେଳେ ତୁମେ ଚଞ୍ଚଳ ଝରଣା

କେତେବେଳେ ତୁମେ ସିନ୍ଧୁ

କେତେବେଳେ ତୁମେ ପ୍ରଚଣ୍ଡ ସୂର୍ଯ୍ୟ

କେତେବେଳେ ତୁମେ ଇନ୍ଦୁ

କେତେବେଳେ ତୁମେ ଅସୀମ, ଅମାପ

କେତେବେଳେ ତୁମେ ବିନ୍ଦୁ ।୧।

 

କେତେବେଳେ ତୁମେ ଶୀତଳ ଚନ୍ଦନ

କେତେବେଳେ ତୁମେ ବହ୍ନି

କେତେବେଳେ ତୁମେ ମରୁ ମରୀଚିକା

କେତେବେଳେ ସୁରଧୁନୀ

କେତେବେଳେ ତୁମେ ସଂହାର କରତା

କେତେବେଳେ ବରଦାନୀ ।୨।

 

କେତେବେଳେ ତୁମେ ଶାମ ଦୁର୍ବାଦଳ

କେତେବେଳେ ମହାଦ୍ରୁମ

କେତେବେଳେ ତୁମେ ବିଶାଳ ପର୍ବତ

କେତେବେଳେ ରେଣୁ ସମ

କେତେବେଳେ ତୁମେ ଭକତର ପ୍ରାଣ

କେବେ ଭକ୍ତ ତୁମ ପ୍ରାଣ ।୩।

Image

 

ଦେବେନ୍ଦ୍ର ଦାସ

୧୯୪୨

 

॥ ଏକ ।।

ସୃଷ୍ଟି ଲାଗିବ ଭଲ,

କେବେ ଯଦି ଫୁଟେ

ଦରିଆରେ କଇଁ

ପାହାଡ଼େ ପଦ୍ମଫୁଲ ।୦।

 

ସୃଷ୍ଟି ଲାଗିବ ଭଲ,

ବିତରାଗ ଭୁଲି ଭଅଁର ଚୁମିଲେ ବନର ଚଂପା ଫୁଲ ।୧।

 

ସୃଷ୍ଟି ଲାଗିବ ଭଲ,

ଯେଉଁଦିନ ଏଠି ହାଟବାଟ ଛାଡ଼ି ମରୁରେ ଲାଗିବ ଗୋଳ ।୨।

 

ସୃଷ୍ଟି ଲାଗିବ ଭଲ,

ଦେବତା ଯେ ଦିନ ମଣିଷ ପାଲଟି ଗଣିବ ଜିଇଁବା ମୂଲ ।୩।

 

।। ଦୁଇ ।।

 

ଏଠି ଦୁନିଆରେ ପାପର ହିସାବ ଅଲଗା ଅଲଗା ହୁଏ,

ଝଡ଼ିଆ ପବନେ ଯାହା ଚାଳ ଉଡ଼େ, ସିଏ ବେଶୀ ପାପୀ ହୁଏ ।୦।

 

କଠଉ ପାଦରେ ବାଟ ଚାଲିବାର କଷଣ ସହୁଛି ଯିଏ

ମୁଠାଏ ଭାତକୁ ମାଟିରୁ ସାଉଁଟି ଲୁହରେ ଧୋଉଛି ଯିଏ

ଏ ଦୁନିଆ ତାକୁ ଆଡ଼ ଚାହାଣୀରେ ବଡ଼ ପାପୀ ବୋଲି କହେ ।୧।

 

ମାଟି ମାଠିଆରେ ମଣିଷ ରକତ ଅରମା ଘରରେ ରଖି

ଯିଏ ରାସ୍ତାରେ ଅଚଳ ପଇସା ଯାଚେ ଭିକାରୀକୁ ଦେଖି

ଏ ଦୁନିଆ ତାକୁ ବଡ଼ ପାଟି କରି ମଣିଷର ମଣି କୁହେ ।୨।

 

।। ତିନି ।।

 

ତୁମ ଗାଆଁ ମହୁମାଛି

ଆମ ଫୁଲେ ମହୁ ପିଇ ମୋତେ ମାଗେ କୁଆଁରୀ ବଉଳ,

ମୁଁ ବୁଢ଼ା ବରଗଛ ଚାରି ପାଖେ ଲୁହର ଓହଳ ।୦।

 

ମୋ ଡାଳରେ ଦିନେ କେତେ ଯଉବନ ଝୁଲୁଥିଲେ,

ସେମାନେ ତ ମୋ’ ଦେହକୁ କୋରି କୋରି ଖାଇଗଲେ,

ମୋ ସ୍ମୃତି ତାଙ୍କ ପାଇଁ

ମୋ ଛାଇରେ ବୋଝ ହୋଇ ରହିଗଲା ମିଛେ କାଳକାଳ ।୧।

 

ଫଗୁଣ ଗୋଚର ଭୂଇଁ, ଏ ଗାଆଁରେ ଆମ ପାଇଁ

ସବୁଥାଇ କା’ର କିଛି ନାହିଁ

ମୁଁ ପୁଣି ଏ ଗାଆଁର ସତେ କି ପୁଆଣି ଝିଅ,

ଏଠି ମୋର କିଛି ଦାବୀ ନାହିଁ,

ଏମିତି ଜୀବନ ପାଇ ତଡ଼ୁଥିବି କେତେ ମୁଁ ଭଅଁର ।୨।

Image

 

ମିତ୍ରଭାନୁ ଗୌନ୍ତିଆ

୧୯୪୨

 

।। ଏକ ।।

ଧାରା ଶିରାବଣ ଝରୁଛି ଝରଣ

ବିରହ ବେଦନା କିଛି

କାହିଁକି କିପରି ହେଉଛି ଏ ଦିହିଁ

ବୁଝିତ ପାରୁନି କିଛି ।୦।

 

ଜରତପ-ଦୁଃଖ ଧରିନିତ ମୋତେ

ଯିବନି ମିଛେ ଘବରି

ସେହିପରି ବୁଢ଼ା ହୋଇନି ଟେଙ୍ଗେରି

ଯାଇନି ଦିହିଁ ଖବରି

କେଉଁ ଅନ୍ତେ କାହିଁ ହେଉଛି ଯେ କ’ଣ

ଯାଇଛି କୋଉଠି ଗଛି ।୧।

 

ଜାଣି ହେବ ଖୁସି ତୁମ ‘‘ରସବତୀ”

ଏବେ ଗଲା ପଢ଼ି ଶିଖି

ଭିତିରିଗୁମର ଦେଇଛି ଚିତିରି

ଆସିବ ଗୋ ଚାହିଁ ଦେଖି

ଅମୁସରିଥିବ ଆସିବା ପଥକୁ

ମନେ କେତେ କ’ଣ ଇଛି ।୨।

 

ନୂଆଁ ସଂସାରରେ ଏକାଠି ନଚଳି

ନରହି ଦୁଇ ପରାଣୀ

ବିହିତିରୀ ଛାଡ଼ି ଏତେଦୂରେ ପଡ଼ି

କି ଲାଭ କୋଟି କମାଣି

କେଉଁ ଭୁଲେ ପଡ଼ି ଚାଲିଗଲ ଯେ ଗୋ

ପରାଣ ସଖୀ ମୁରୁଛି ।୩।

 

ଶବ୍ଦାର୍ଥ- ଟେଙ୍ଗେରି-ଲଦି, ବୋଝ, ବୁତା-କାର୍ଯ୍ୟ, ବିହିତିରୀ-ବିବାହିତ ସ୍ତ୍ରୀ

 

।। ଦୁଇ ॥

 

ଝିପି ଝିପି ବର୍ଷା ଝରି, ଧୁକା ସାଇଁ ସାଇଁ

‘‘ମାଳତୀ” ନନୀ, ପହ୍ଲା ରୁଇଯା, ଅଣ୍ଟା ଲଇଁ ଲଇଁ ।୦।

 

ଧୁକି ବରଷାକୁ ବାଜୁଥିବ ଦାନ୍ତ ଥରି ଯାଉଥିବ ଦିହିଁ,

ସନ୍ଧି-ସନ୍ନିପାତ, ଛୁଇଁ ପାରିବନି, ମହୁଲିଆ କାଁକୋଖା,

ଆଣ୍ଠୁତଳେ ଲଗା, କରଞ୍ଜିଆ ତେଲ, ଲମ୍ବ, ଲମ୍ବ, ଜୋକ ଯହିଁ ।୧।

 

ଗହିରିଆ ବିଲେ କାଦୋ ଲଟପଟ, ଠିଆ ଠିଆ ତଳି ନେଇ,

“ମାଳତୀ” ନନୀ ଲୋ ଲଗା ବେଗେ ବେଗେ, ଟପୋଟପୋ ପହାଥୁଇ,

ଦେଇଥିଲେ ପାଇ, ବୁଣିଥିଲେ ଜାଇ, ଯତନି ଥିଲେ ତ ଯାଇ ।୨।

 

ଖାଉଥିବୁ ପିତା, ଗାଉଥିବ ଗୀତା, ପୋତୁଥିବୁ ରିତା ନେଇ,

ଧାନଚେରେ ପରେ ଅସଲ ଅମଳ, ପେଟପୁରା ଖାଇ ପିଇ,

ଧରିବ ବଜର, ବଢ଼ିବ ଜବର, କଳାମେଘ ରୂପ ନେଇ ।୩।

 

ରୂପାଜରି ଚେର ମେଲି ଦେଇ ତାର ବିଛୁଥିବ ଛୁଆଦେଇ

ଫଳିଯିବ ଜିରା, ଝରିଯିବ ହୀରା, ସୁନାମୋତି ଯିବ ଛାଇଁ,

ଓଡ଼ିଶା-ଭାରତ ଗଢ଼ିଦେବା ନୂଆଁ, ମାଟିମା ଚରଣ ଛୁଇଁ ।୪।

 

ଶବ୍ଦାର୍ଥ-ମହୁଲିଆ କାଁକୋ- ଗୁଡ଼ ସହ ଶୁଖା ମହୁଲ ଫୁଲରୁ ତିଆରି ଖାଦ୍ୟ (ମହୁଲ କାଁକୋ) ଦେହକୁ ଉଷୁମ ରଖେ ।

ପହ୍ଲା- ତଳି, ରିତା-ତଟକା, ବଜର-ହୃଷ୍ଟପୃଷ୍ଟ, ଜବର- ଖୁବ୍‌, ଅଧିକ, ଦିହିଁ-ଶରୀର

 

।। ତିନି ।।

 

ଯେତେ ଭଉଣୀକୁ ସେତେ ବର,

ଯେତେ ଭାଇକୁ ସେତେ ଘର,

ଭୁଲାମନ ହେଉ କିଆଁ ଅଧିର,

ଜାଣିଥା ଇକଥା ବେଦ ମନ୍ତର ।୦।

 

ଭାଇ ଭାଗ ହୋଇ ନାଇଁ ଭାଗ କେହି,

ଜଣଙ୍କଠୁ ଜଣେ ଦୂରିଆ ହୋଇ,

ଯୁଧେ ଗଲେ ସଂଗେ ନେଇଥିବୁ ଭାଇ

ସବୁ ବିପତିରୁ ଉଧାର ପାଇ,

ଯୁଗେ ଯୁଗେ ଭାଇଭାବ ଅମର,

ଭାବ ନାଇଁ ଛେକି ଛେକ ଦୁଆର ।୧।

 

ଭାଇ ପାଇଁ ଭାଇ ଆସେ ଅଣ୍ଟାଭିଡ଼ି,

ଶହେ ସିଂହ ବଳ ଯାଏ ଯେ ବଢ଼ି,

ଭାଇ ଭାସୁଥିଲେ ଦରିଆ ପାରି

ଭାଇ ସିନା ରଖେ ଉଧରି ଧରି,

ଭାଇ ଡାକୁଁ ଝରେ ଅମୃତ ଝର

ଭାଇ ଡାକ ଗୋଟି ମହୁ ମଧୁର ।୨।

 

ଏକା ଗରଭରୁ ଜନମ କରମ,

ମନେ ପଶୁଅଛି ମିଛ ଭରମ,

କେହି ନ ପାଞ୍ଚିଣ କାହାରି ହରଣ,

ଭାବ ରଖା ଧାରା ଭାଇ ଧରମ

ଦୁନିଆଁ ଯାକରେ ଭାଇ ଆଦର

ଭାବ ମଏତର କେଡ଼େ ସୁନ୍ଦର ।୩।

 

ଶବ୍ଦାର୍ଥ- ଭାଗ- ବଣ୍ଟୁଆରା, ପଳେଇବା

ଭାବ- ସମ୍ବନ୍ଧ

Image

 

ନନ୍ଦକିଶୋର ସିଂହ

୧୯୪୨

 

।। ଏକ ।।

ସୂର୍ଯ୍ୟ ଉଠିଲେ ପ୍ରଥମେ ଚାହିଁବ ମୋ ପ୍ରିୟାର ଗାଆଁ ଆଡ଼େ

ଜହ୍ନ ଉଇଁଲେ ପ୍ରଥମେ ଚାହିଁବ ମୋ ପ୍ରିୟାର ଝରକାରେ ।୦।

 

ଆଷାଢ଼ ଆସିଲେ ପ୍ରଥମେ ଚାହିଁବ

ମୋ ପ୍ରିୟାର କୁନ୍ତଳକୁ

ଫଗୁଣ ଆସିଲେ ପ୍ରଥମେ ଦେଖିବ

ମୋ ପ୍ରିୟାର ଅଧରକୁ

ବିହଗ କାକଳୀ ପ୍ରଥମେ ଝରିବ ମୋ ପ୍ରିୟାର କଣ୍ଠସୁରେ ।୧।

 

ସାଗରର ଢେଉ ପ୍ରଥମେ ଧୋଇବ

ମୋ ପ୍ରିୟାର ପାଦ ଦୁଇ

ମଳୟ ଆସିଲେ ପ୍ରଥମେ ଖେଳିବ

ମୋ ପ୍ରିୟାର କେଶ ଛୁଇଁ

ଶ୍ରାବଣ ଆସିଲେ ପ୍ରଥମେ ଝରିବ ମୋ ପ୍ରିୟାର ଆଖି ନୀରେ ।୨।

 

।। ଦୁଇ ।।

 

ସୁଷମା ଗୋ ତୁମ ଅଂଗେ ଭରା ମଧୁ ଜୋଛନା

ନୟନେ ତୁମର ବନ ହରିଣୀର ଚଂଚଳ ଆଖିର ନୀଳିମା ।୦।

 

ଓଠରେ ତୁମର ରକ୍ତ ଗୋଧୂଳି କବରୀରେ ଘନ ଆକାଶ

ପାଦର ନୂପୁରେ ଝରଣାର ଗତି ଶୟନରେ ମଧୁ ବିଳାସ

ପଲକ ଉଠିଲେ ଆଖିର ସାଗରେ

ଢେଉ କେତେ ଗଣି ହୁଏନା ।୧।

 

ଯେ ପଥେ ଯାଅ ଗୋ ସେ ପଥରେ ଭର କୋଟି ପାରିଜାତ ମହକ

ଅଧରୁ ତୁମର କଥା ଯେବେ ଝରେ ସେକି ଯାଦୁକରୀ କୁହୁକ

ମରୁ ବାଲୁଚରେ ତୁମ ଛାଇ ପଡ଼ି

ଭରେ ସବୁଜିମା ସୁଷମା ।୨।

 

।। ତିନି ।।

 

ଫଗୁଣ ହେ ରଂଗ ଆଉ ଢାଳନା ଢାଳନା

କୁଂଜ କାନନ

ଅବା ଯମୁନା ପୁଳିନ

ରଂଗେ ଜାଣି ହୁଏନା ।୦।

 

ଲଳିତା ରଂଗରେ ମାତି ସାଜେ ନାହିଁ ଦୂତିକା

ଫୁଲ ଶେଯ ପାତିବାକୁ ଭୁଲେ ରଂଗ ବିଶାଖା

ନୟନ କଜ୍ଜ୍ୱଳ ରଂଗ କେତକୀର ଜଳ ରଂଗ

ପାଗଳିନୀ ରାଈ ପ୍ରୀତି

ଲିପି ଲେଖି ପାରେନା ।୧।

 

ବାରି ତ ହୁଏନା ସଂଜ ଅବା ପାହେ ଯାମିନୀ

ତମାଳ ପଳାଶ ଅବା ଜାଇ ଯୂଇ କାମିନୀ

ଭରମେ ପଡ଼ି କିଶୋରୀ ପାରେନା କୁସୁମ ତୋଳି

ଗଭା ତା ପାରେନା ସାଜି

କୁଂଜେ ଯାଇପାରେନା ।୨।

Image

 

ଗୌରହରି ଦଳାଇ

୧୯୪୨

 

।। ଏକ ।।

ଏବେ ଯଦି ଦେଖା ହେବ ଜୋଛନା ରାତିରେ

ମୋ ହାତରେ ରଖି ହାତ ତମେ ଚାଲି ପାରିବତ

କଥାହେବା ପୁଣି ସେଇ

(ଚୁପ୍‌ ଚାପ୍‌ ଟୁପ୍‌ଟାପ୍‌ )

ଅକୁହା ରୀତିରେ ।।

 

ତମେ କହି ଚାଲିଥିବ ତମ ପଛ କଥା

ମୁଁ କହିବି ମନ ଖୋଲି ମରମର ଗାଥା

ମିଳନ ନାହିଁ ଆମର

ପଥ ଯେଣୁ ସମାନ୍ତର

ଟିକେ ହେଲେ ଖୁସି ହେବା ବ୍ୟସ୍ତ ଜୀବନରେ ।।

 

ତମ ସ୍ମୃତି କହୁ କହୁ କଥା ଢୋକି ନେବ

ପାପ ହେବା ଡର ଯଦି ମନକୁ ଛୁଇଁବ

ମିଛରେ ବାହାନା କରି

ବାଟ ଭାଂଗି ଯିବ ଚାଲି

ଏକା ଛାଡ଼ି ମୋତେ ଏଇ ନିର୍ଜ୍ଜନ ରାତିରେ ।।

 

।। ଦୁଇ ।।

 

ଆଉ ମୋତେ ଚିଠି ଦେବନି

ଯେତେ ମନେ ପଡ଼ୁ ପଛେ ଛାତିକି ପଥର କରି

କାହା ଆଗେ କେବେ ମୋର ନାଆଁ ନେବନି ।।

 

କେବେ ଯଦି ଧରାପଡ଼େ ତମ ହାତ ଲେଖା

ମୋ କପାଳେ ଲାଗିଯିବ କଳଙ୍କର ଟୀକା

ଯେତେ ଧୋଇ ମାଜିଲେବି ଅପବାଦ ହେବ ସାର

ଏ ଜନମେ ସେ କଳଙ୍କ ଆଉ ଯିବନି ।।

 

ଏତିକି ମୋ ଶେଷକଥା ତମ ପାଖେ ଅଳି

ଯେତିକି ଦେଇଛ ପ୍ରୀତି ପାରିବନି ଭୁଲି

ଯେତେ ଦୂରେ ଥାଅ ପଛେ ଆମ ପ୍ରେମ ସାକ୍ଷୀ ରଖି

ଆଉ କାହାପାଇଁ ଏତେ ପ୍ରୀତି ଦେବନି ।।

 

।। ତିନି ।।

 

ଯେତେଦୂରେ ଯାଅ ପଛେ ଦିନେ ତ ଆସିବ ଫେରି

ଲହରୀ ଯେମିତି ଫେରେ କୂଳକୁ ଛାଡ଼ି ନପାରି ।୦।

 

ଯେତେ ମିଛ କହ ପଛେ ଦିନେ ତ କହିବ ସତ

ଯେଉଁଦିନ ତୁମ ପାଖେ ନଥିବେ ଜଣେ କେ ମିତ

ମନେ ମନେ ଝୁରୁଥିବ ଆସନ୍ତା କି ଥରେ ଫେରି ।୧।

 

କେତେ ଦୂରେ ଚାନ୍ଦ ଆଉ କେତେ ଦୂରେ ଅଛି କଇଁ

ଯେତେ ଦୂରେ ଥିଲେ ତୁମେ ମୋ ପାଖୁ ଦୂରତା ନାହିଁ

ଭରସା ଦେଇଛ ମୋତେ ଚାହିଁଛି ଚାତକ ପରି ।୨।

Image

 

ବୃନ୍ଦାବନ ଜେନା

୧୯୪୪

 

।। ଏକ ।।

ଅନ୍ଧକାରେ ଯା’ରେ ଆଦରି ନେଲି ମୁଁ ଦିନେ,

ଆଲୋକେ ଦେଖିଲି ଲୁହ ଟିକେ ହୋଇ

ରହିଛି ଆଖିର କୋଣେ ।୦।

 

ପୋଛିବାକୁ ଯାଇ ଅଟକିଛି ହାତ

ବୁଝାଇଛି ମନ ସେତିକିତ ସତ

ଲୁହ ନୁହେଁ ସେତ ବିଗତ ଦିନର

ବହୁ ପରିଚିତ ଜଣେ,

ରହିଛି ଆଖିର କୋଣେ ।୧।

 

ଦିନ ଥିଲା ବୋଲି ଆଖିରେ ପ୍ରୀତିରେ

ଆଜି ଦାଉ ସାଧେ ମନରେ ସ୍ମୃତିରେ

ଆପଣାର ଥିଲା ଏବେବି ରହିଛି

ମନର ମଣିଷ ପଣେ

ଲୁହ ହୋଇ ଆଖି କୋଣେ ।୨।

 

।। ଦୁଇ ।।

 

ପ୍ରୀତିକୁ କେବଳ ଆଖିର ଜଳରେ

ମାପିଲେ ସରୁଛି କାହିଁ,

ସ୍ମୃତି ତ’ ମୋ ପାଇଁ ପାଲଟି ଯାଇଛି

ବେଦନାରେ ଭରୀ ନଈ ।୦।

 

ସମୟ ମୋ ଏକ ଅସରା ସଡ଼କ

ଥକିଲା ପାଦକୁ ଅନ୍ଧାରୀ ମୁଲକ

ଯେ ସକାଳ ପାଇଁ ରାତି ମୁଁ କାଟୁଛି

ତା’ ଠିକଣା ଜାଣେ ନାହିଁ ।୧।

 

ମୁଁ ନୁହେଁ ଅଗସ୍ତି ପଳପଳ କରି

ପିଇଯିବି ସାତ ସାଗରର ବାରି,

ଆଞ୍ଜୁଳାଏ ଶୋଷ ତଥାପି ରହୁଛି

ମୋର ଅବଶେଷ ହୋଇ ।୨।

 

।। ତିନି ।।

 

ଏ ତ ଭଲ ହେଲା

ତୁମେ ଆସିଗଲ

ହାତେ ଦୀପଟିଏ ଧରି,

ମୋତେ ଲାଗୁଥିଲା

ମୋ ସାରା ଜୀବନ

ଯିବ ଅନ୍ଧକାରେ ସରି ।୦।

ମୋ ଜୀବନ ଏକ ଖୋଲା ବହି ପରି

ପାର ଯଦି ପଢ଼ିନିଅ ଭଲକରି,

ତା’ପରେ କହିବ

ବାକି ଯେତେଦିନ

ରହିବକି ସାଥି ପରି ।୧।

ସାଥି ହେବା କିଛି ସୋଜା କଥା ନୁହଁ

ହସିବ ଯେତିକି ଗଡ଼ାଇବ ଲୁହ

ଜୀବନତ ନୁହେଁ

ଗୁଳାରେ ଗଡ଼ିବ

ଗୋଟାଏ ଶଗଡ଼ ପରି ।୨।

Image

 

Unknown

ଗୌର ପଟ୍ଟନାୟକ

୧୯୪୪

 

।। ଏକ ।।

ବାହାରକୁ ସିନା ଦେଖିଛ ମୁଁ କେତେ ହସୁଛି

ହେଲେ ଜିଇଁଥାଇ ନିତି ନିତି ଜଳି ମରୁଛି ।୦।

 

ଟୋପାଏ ହେଲେ ବି ଝରୁନି ଆଖିରୁ ଲୁହ

ମନତଳେ ସବୁ ଚାପି ଦେଇଛି ମୁଁ କୋହ

ଠିକଣା ହଜାଇ ନିଜ ପରିଚୟ ଖୋଜୁଛି ..

ପାଦତଳେ ନୁହେଁ, ମୋ ଛାତିରେ କଣ୍ଟା ଫୁଟିଛି ।୧।

 

ମୁକୁଳା ଆକାଶେ ମୁଁ ଏକ ବାଆଁରା ପକ୍ଷୀ

ସାରା ସଂସାରେ ମୋ ପରି ନାହିଁ କେ ଦୁଃଖୀ

ଜୀବନଟା ସାରା ଖାଲି ମୁଁ ଆଘାତ ପାଇଛି

ଏତେ ସବୁ ସହି ତଥାପି ମୁଁ ହସି ପାରୁଛି ।୨।

 

।। ଦୁଇ ।।

 

ଆଗୋ ପ୍ରିୟତମା ଶେଷ ଅନୁରୋଧ

ନିଶ୍ଚୟ ନିଶ୍ଚୟ ରଖିବ

ମୁଁ ମଲାବେଳକୁ ଖବର ପାଇଲେ

ଯେଉଁଠାରେ ଥାଅ ଆସିବ ।୦।

 

ଶେଷ ଦେଖାହେବ ଶାନ୍ତିରେ ମରିବି

ସବୁ ଦୁଃଖ ମୋର ସରିବ

ସାରା ଜୀବନର ବିଫଳତା ପାଇଁ

ଅନୁତାପ ଆଉ ନଥିବ

ତୁମେ ନ ଆସିଲେ ଏଇ ଆତ୍ମା ମୋର

ଅଶରୀରୀ ହୋଇ ରହିବ ।୧।

 

ଶେଷ ଇଚ୍ଛା ମୋର ଖୋଲି କହିଦେଲି

ନ ଆସିଲେ ଭାରି ବାଧିବ

ଯଦି କେବେ କିଛି ଭୁଲ୍‌ କରିଥାଏ

ଦୟାକରି କ୍ଷମା କରିବ

ଦୁଇଟୋପା ଲୁହ ମୋ ଜୁଇରେ ଢାଳି

ମୋ ଜୀବନ ଧନ୍ୟ କରିବ ।୨।

 

।। ତିନି ॥

 

ଦୁନିଆରେ ଏମିତିକା କିଏ ଅଛି

ଯା’ ଜୀବନେ କଳଙ୍କର ଦାଗ ନ ଲାଗିଛି

ଦୁନିଆରେ ଏମିତିକା କିଏ ଅଛି

ଦୁଃଖ ସହ ଯା’ର କେବେ ଭେଟ ନ ହୋଇଛି ।୦।

 

ଦୁଃଖ ଯିଏ ନ ଭୋଗିଛି

ସୁଖ ମଜା ସିଏ କି ପାଇଛି

ଦୁଃଖ ଅଛି ବୋଲି ସିନା

ଜୀବନଟା ମଧୁର ଲାଗୁଛି

ସୁଖ ଆଉ ଦୁଃଖ ସହ

ଏ ମଣିଷ ନିଇତି ଭେଟୁଛି

ତଥାପି ସେ ଜୀବନର

ମାନେ କିଛି ବୁଝି ନ ପାରୁଛି ।୧।

 

ହୃଦୟ ଚିପୁଡ଼ି ଯିଏ ।

ହସି ହସି ଲୁହକୁ ପିଇଛି

ଆନ ସୁଖ ପାଇଁ ଯିଏ

କଳଙ୍କକୁ ଚନ୍ଦନ କରିଛି

ନିଃସ୍ଵ ହେଲେ ହେଉ ପଛେ

ସେଇଥିରୁ ଆନନ୍ଦ ପାଇଛି

ମୋହ ମାୟା ସଂସାରରେ

ମଣିଷ ତ ଆଶାରେ ବଂଚିଛି ।୨।

Image

 

ଶିବ କୁମାର ରଥ

୧୯୪୫

 

।। ଏକ ।।

ମନ ବଣିକରେ ବୋଇତରେ ତୋର

ମାଣିକ ରତନ ନେଇ

କାହିଁକି ଆସିଛୁ ବିଜନ ଦ୍ଵୀପକୁ

ସାଗର ଲହରୀ ଡେଇଁ ।୦।

 

ଫଟା କାନ୍ଥର ଏ ପୁରୁଣା ଉଆସେ ଫୁଟିଚି ଶିଉଳି ଫୁଲ

ବନ୍ଦିନୀ ଜେମା ମୁଁ ପଡ଼ିଲିଣି ଥକି ବଂଧନର ନାଇଁ ମୂଲ

ଲୁହରେ କେମିତି ସ୍ଵାଗତିକା ତୋର

ଗାଇବି ମୁଁ ସୁର ଦେଇ ? ।୧।

 

ଦିକି ଦିକି ଜଳେ ଦୀପଶିଖା ଏଠି ବୁଜିଯାଏ ଆଖିପତା

ଆଲୁଅ ରୋଷଣୀ ମଂଗଳ ମହୁରୀ, ଏ ଜୀବନେ ମିଛ କଥା

ଫେରିଯା ରେ ସାଥୀ, ଥିବି ମୁଁ ଏମିତି

ଆର ଜନମକୁ ଚାହିଁ ।୨।

 

।। ଦୁଇ ।।

 

ସଂଧ୍ୟା ତୁମେ କେଉଁ ବଂଧା କବରୀରେ ଫିକାଫିକା କଳାଛାଇ

ରାତି ଆଗମନୀ ରାଗିଣୀରେ ବାଜେ ତୁମ ପ୍ରୀତି ଶାହାନାଇ ।୦।

 

ରୂପସୀ ରାତିର ଆଖି ତଳେ ଦିଅ

କଜ୍ଵଳର ଗାର ଟାଣି

ପାଦତଳେ ଦିଅ ଅଳତାର ଧାର

ଗୋଧୂଳିର ରଂଗ ଆଣି

ଅଭିସାରିକା ସେ ରାତିର ଚିବୁକେ, ଆଙ୍କିଦିଅ କଳାଜାଇ ।୧।

 

ତୁମ ପବନର କଅଁଳ ଛୁଆଁରେ

ଦିନ ହୋଇଯାଏ ରାତି

ଆକାଶ ଶେଯରେ ଶୋଇଯାଏ ତାରା

ମିଠା ସପନରେ ମାତି

ଆଣି ଆସ ତୁମେ ଅଜଣା ମହକ, ଦରଫୁଟା ଫୁଲ ପାଇଁ ।୨।

 

।। ତିନି ।।

 

ପବନରେ ନିତି ମନର କଥାକୁ

ପଠାଏ ମୁଁ ତୁମ ଠିକଣାରେ

କହିଛି ମେଘକୁ ଲୁହ ନେଇ ମୋର

ବରଷିବ ତୁମ ଅଗଣାରେ ।୦।

 

ତୁମକୁ ସପନେ ଦେଖିବା ପାଇଁକି ଯେତେ ମୁଁ ଆଖିକି ବୁଜିଦିଏ

ରାତିର ପହର ହେଲେ ବି ଗଭୀର, ନିଦ ଯେତେ ମୋର ହଜିଯାଏ

ତୁମେ ତ ଜାଣନା, କେତେ ଛଟପଟ

ହୁଏ ମୁଁ ସବୁରି ଅଜଣାରେ ।୧।

 

ଉଡ଼ିଯିବା ପାଇଁ ଚାହୁଁଥାଏ ମନ, ଦୂର ନୀଳ ଜହ୍ନ ଧରିବାକୁ

ତୁମଠାରୁ ମୋର ଦୂରତା ବଢ଼ିଛି, ଜଳିଜଳି ଖାଲି ମରିବାକୁ

ଭସାଇ ଦେଇଚି ପ୍ରୀତିର ନାଆ ମୁଁ

ଜୀବନର ମରୁ ଝରଣାରେ ।୨।

Image

 

ସୁବାସ କର

୧୯୪୫

 

।। ଏକ ।।

ମାୟାବିନୀ ତୁମ ରୂପ ମଧୁଶାଳା ।

ମୋ ନୟନ ଧାରେ ଭରିଦେବା ପରେ

ପିପାସା କାମନା ଭରା

କହିବନି କେବେ ଭୁଲ୍‌ କଲି ବୋଲି

ନିଶାରେ ଝୁମି ମୁଁ ଯଦି ପିଇଦେଲି

ସେ ମଦିରା ଭରା ପିଆଲା ।୦।

 

ଏଇ ମୋ ଆଖିର ରୂପା ଝରକାରେ

ତୁମ ଛାଇ ସାଜି ଭିଜା କୁହୁଡ଼ିର ସପନ

ତୁମ ସଉରଭ ଭରା ସମୀରରେ

ମୋ ଗୀତ ତୋଳି ଆଜି ଦିନକର ଗୁଂଜନ

ତୁମ ଆକାଶରୁ ନୀଳିମା ନିଗାଡ଼ି

ମାଖିଦେଲା ଯଦି ମୋ ଆଖି ପତାରେ

ସପନ ରଂଗ ଭରା ।୧।

 

ଧୂସର ମାଟି ମୁଁ ଶାନ୍ତ ନିଥର

ତୁମ ଅଂଗେ ଶତ ଇନ୍ଦ୍ରଧନୁର ରୋଷଣୀ

ଚକୋର ମୁଁ ଏକ ବିରହ ବ୍ୟଥିତ

ତୁମ ଓଠେ କୋଟି ଭଲ ପାଇବାର କାହାଣୀ

ଚକୋରୀ ଗୋ ତୁମ ଚକିତ ଆଖିରେ

ମୁଁ ଯଦି ପଢ଼ିଲି ପ୍ରଣୟ କବିତା

କେତେ ଅନୁରାଗ ଭରା ।୨।

 

।। ଦୁଇ ।।

 

କୃଷ୍ଣଚୂଡ଼ାର ଶାଖାରେ ଶାଖାରେ

ଅନେକ ଓଠର ହସ

ବୟସ ଗାଁ ର ହାଟ ବଜାରରେ

ରଂଗର କେତେ ରାସ ।୦।

 

ସପନର କେତେ ପସରା ଖୋଲିଚି

ଯଉବନ ପାଇଁ ଏଠି

ନୂଆ ପଂଜୁରୀରେ ନୂଆ ବନପକ୍ଷୀ

କାନ୍ଦୁଛି ଏକାକୀ ସେଠି

ଫୁଲଙ୍କର ଯେତେ ଆଖିର ଇସାରା

ତା’ ପାଇଁ ହୋଇଛି ଶେଷ ।୧।

 

ଉଡ଼ା ଚଢ଼େଇର ପୀରତି ଶାମୁକା ।

ଚନ୍ଦନ ଡାଳେ ଝୁଲେ

ଚିହ୍ନି ପାରେନା ସେ ନିଜ ମୁହଁ ଛାଇ

ଆଶାର ଯମୁନା ଜଳେ

ହାଟ ସରିଗଲେ ବାସି ଫୁଲଙ୍କର

ରହିଯାଏ ଅବଶେଷ ।୨।

 

।। ତିନି ।।

 

ସ୍ମୃତି ଗୋ...ତୁମେ ଚନ୍ଦ୍ରିକା ହୋଇ ଜଳ କିଆଁ

ପ୍ରୀତି ଗୋ...ତୁମେ ଅଳକାନନ୍ଦା ସାଜ କିଆଁ ।୦।

 

ତୁମ ପ୍ରାନ୍ତର କେଦାରେ କେଦାରେ

ରୂପସୀ ଜୋଛନା ଖେଳେ

ତୁମ କଣ୍ଠର ଆଦିମ ଗୀତିରେ

କାମନା ବିଳପି ମରେ

ପାରେନା ଡେଇଁ ମୁଁ ମାୟାବିନୀ ତୁମ

ତନୁର ରୂପ ଝରଣା ।୧।

 

ପରଶେ ତୁମର ଭରି ତ ରହିଛି

କେତେ ଯେ ସୁରର କଂପନ

ଚଞ୍ଚଳ ତୁମ ପାଦର ନୁପୂରେ

ଚପଳା ତୋଳିଛି ନିକ୍ୱଣ

ଛୁଇଁ ପାରିବିନି ତୁମ ଶୀତଳତା

ସେ ଯେ ନିଦାଘର ଯାତନା ।୨।

Image

 

ନରହରି ଦାଶ

୧୯୪୫

 

॥ ଏକ ।।

ବାହା ପାଞ୍ଜି ତୋର ଫିଟୁ ନ ଫିଟୁଣୁ

କାହିଁକିଲୋ ହାଇଁ ପାଇଁ

ଅବଧାନ ଖଡ଼ି ଗଡ଼ି ଯାଉଛି ଲୋ

ଏସନ ଫେରିବ ନାହିଁ ।୦।

 

ଗୋଡ଼କୁ ଖୁଣ୍ଟିଆ ଗଢ଼େଇ ଥିଲୁ ତୁ

ସେ’ତ ହେଲା ହାତବଳା

ଚାପସରି ମାଳେ କିଣି ଆଣିଥିଲୁ

ସିଏତ ହାଣ୍ଡି ଖପରା

ଦିଅଣା ସୁନାରେ ଗୁଣା ଗଢ଼ାଇଲୁ

ନାକକୁ ତ ଦିଶୁ ନାହିଁ ।୧।

 

ମାପଚୁପ ଦେଇ ଶଂଖାରୀ ବୁଢ଼ାକୁ

ଦେଲୁ ତୁ ବହିଣା ଗଣି

କୁମ୍ଭପକା ଶାଢ଼ୀ ପିନ୍ଧିବୁ ବୋଲି ତୁ

ପାଟରାଠୁ ନେଲୁ କିଣି

ଯାହା ପାଇଁ ଏତେ ନସର ପସର

ସିଏ ତୋ କପାଳେ ନାହିଁ ।୨।

 

।। ଦୁଇ ।।

 

କେମିତି ଭୁଲିବି ଅତୀତ ଆମର

କଥାରେ ପାରୁନି କହି

ଟିକିଏ ଦେଖାରେ ଅଳପ କଥାରେ

ହଜିଗଲି ଭଲ ପାଇ ।୦।

 

ସାଇତି ରଖିଛି ମମତାର ଚିହ୍ନ

ଦେଇଥିଲ ଯାହା ମୋତେ

କହିଥିଲ ତୁମେ ଅପାଶୋରା ଏହା

ତୋଳି ଦେଇ ମୋର ହାତେ

ଭରସା ମୁଁ କରି ଆପଣାର ବୋଲି ।

ଏବେବି ରହିଛି ଚାହିଁ ।୧।

 

ଶ୍ରାବଣର ମେଘେ ବିଜୁଳି ଖେଳଇ

ବରଷେନା କେବେ ବାରି

ଡହଳ ବିକଳେ ଚାହିଁ ନୀର ଧାରା

ଚାତକ ମରଇ ଝୁରି

ତୁମେ ଦେଖି କୁହ ଏମିତି ଜୀବନ

କିବା ଲାଭ ଏକା ରହି ।୨।

 

।। ତିନି ।।

 

ଚିରା ଶାଢ଼ୀଟାରେ ତାଳି ପକାଇଲେ

ପୁରୁଣା ହୋଇ ସେ ରହେ

ଫଟା ହାଣ୍ଡିଟାରେ ମାଟି ଯେ ଲେସିଲେ

ଯୋଡ଼ି କେବେ ହେବ ସିଏ ।୦।

ବାସିଫୁଲ କେବେ ସଜ ଫୁଲ ହେବ

ସିଞ୍ଚିଲେ କି ଗଂଗାଜଳ

ବୟସ ଗଡ଼ିଲେ ଯେତେ ବେଶ କଲେ

ଲୁଚିବକି ରୂପ ତାର

ପାଚିଲା ବାଳରେ କଳା ଯେ ବୋଳିଲେ

ଟୋକା’କି ପାଲଟିଯାଏ ।୧।

ଫଟା କାନ୍ଥେ ଯେବେ ହୁଏ ଚୂନଲିପା

ଅଢ଼େଇ ଦିନ ସେ ରହେ

ପିକ ଦେଲେ ଛୁଆଁ କାଉର ବସାରେ

ସେ’କି କାଉ ଛୁଆ ହୁଏ

ବୁଢ଼ା ମଇନାକୁ ଶିଖାଇଲେ ହରି

ପଢ଼େ ନାହିଁ ଥରଟିଏ ।୨।

Image

 

ସୁରେନ୍ଦ୍ର ନାଥ ବିଦ୍ୟାଧର

୧୯୪୬

 

॥ ଏକ ॥

ତୁମକୁ ଭୁଲିତ ମୋ କବିତା କ୍ଷଣେ

ରହି ଯେ ପାରଇ ନାହିଁ

ତୁମେ ମୋର ଅବା କବିତାର ପ୍ରିୟା

ବୁଝିତ ପାରୁନି ମୁହିଁ ।୦।

 

ତୁମକୁ ମୁଁ ଭଲ ପାଇବାରୁ ସିନା

ହେଲା ଏ କବିତା ଲେଖା

ଦୁହିଙ୍କର ଭେଟ ହେଉ ବା ନ ହେଉ

କବିତାରେ ହୁଏ ଦେଖା

କବିତାର ତୁମେ ଅବା ତୁମେ ମୋର

ଜାଣେନା କେ କାହା ପାଇଁ ।୧।

 

ତୁମ ମୋ ମଝିରେ କବିତା ସେତୁ ଯେ

ଲଳିତା ବିଶାଖା ସମ

ଚନ୍ଦ୍ରାବଳୀ ଭାବି ଭୁଲ୍‌ ବୁଝିବନି

ମୁଁ ଯେ ତୁମ ପ୍ରିୟତମ

କବିତା ଅଟଇ ପ୍ରିୟା ସହଚରୀ

ପ୍ରଣୟ ସାରଥି ହୋଇ ।୨।

 

।। ଦୁଇ ।।

 

ଜୀବନକୁ ଅତି ପାଖରୁ ଦେଖିଛି

ଦୁଃଖକୁ ଆଦରି ନେଇ ।

ଯାତନାକୁ ସଦା ଅଳଙ୍କାର କରି

ହୃଦୟେ ପିନ୍ଧଇ ମୁହିଁ ।୦।

 

ଏନ୍ତୁଡ଼ିଶାଳରୁ ସମାଧି ଆଡ଼କୁ

ପାଦ ଯେ ବଢ଼ାଏ ନିତି

ଲୁହରେ ଜୀବନ ନଉକା ବାହୁଛି

ଝଡ଼ ମୋ ବିଳାସ ସାଥି

ଆଶାର ଫସଲେ କଳ୍ପନା ବିଭୋରେ

ସପନ ଦେଖଇ ନାହିଁ ।୧।

 

ଦୁଃଖ ପରା ମୋର ଅତି ପରିଚିତ

ସୁଖ ଯେ ଅଚିହ୍ନା ମୋର

ଅନ୍ଧକାର ସତେ ଏତେ ଆପଣାର

ଆଲୋକ ଦିଶେ ଅନ୍ଧାର

ମାୟା ମରୀଚିକା ପଛରେ ଧାଇଁକି

ମୋ ପଥ ଭୁଲିବି କାହିଁ ।୨।

 

।। ତିନି ।।

 

କବି ତା’ ଜୀବନେ ପାଇବା ଠାରୁ ତ

ଅଧିକ ହରେଇଥାଏ

ଯେଉଁଥି ପାଇଁକି ତା’ କବିତା ପ୍ରାଣ

ଅସୀମ ଆଘାତ ପାଏ ।୦।

ପ୍ରିୟା ପାଶେ କବି ରହିଥାଏ ପରା

ଜନ୍ମ ଜନ୍ମାନ୍ତରେ ୠଣୀ

ପ୍ରିୟା ତା’ ପ୍ରେରଣା ଭାବପ୍ରବଣତା

ସକଳ କଳ୍ପନା ମଣି

ଅସରନ୍ତି ଆଶା ସ୍ଵପ୍ନର ମୌସୁମୀ

ପ୍ରିୟା ସଦା ଭରି ଦିଏ ।୧।

ପ୍ରିୟା ତ ଅଟଇ ଉଷାର ଝରଣା

ରୂପନିଏ କବିତାରେ

ଯୁଗ ପରେ ଯୁଗ ଫେରିଚାହେଁ କବି

ସ୍ମୃତିମୟ ଅତୀତରେ

ପ୍ରିୟା ବିନା ଆଉ କବିତାର ଆତ୍ମା

ହୋଇ ଯେ ପାରେନା କିଏ ।୨।

Image

 

ଅନ୍ତର୍ଯ୍ୟାମୀ ମିଶ୍ର

୧୯୪୬

 

।। ଏକ ॥

ବନହଂସୀ ଗୋ ପାଗଳ କରିଛ

ତୁମରି ରୂପ ଜୁଆରେ

ସବୁ ତେଜି ମୁଁ ଯେ ଭିକାରୀ ସାଜିଛି

ତୁମରି ପ୍ରୀତି ଦୁଆରେ

ପାରୁନାହିଁ ଭୁଲି ପାରୁ ନାହିଁ

ଏତେ ରୂପ ଭୁଲି ପାରୁ ନାହିଁ ।୦।

ମୁକ୍ତା ସାଜିଛି ଶିଶିର ତୁମର

ଡେଣାର ପରରେ ପରରେ

ଆକାଶର ଯେତେ ନୀଳିମା ଲହରି

ତୁମରି ଆଖି ତୀରରେ

ସେ ମୁକୁତା କେବେ ଝରୁ ନାହିଁ

ମୋ ସପନ କାହିଁ ସରୁ ନାହିଁ ।୧।

ମୋ ମନ ସକାଳ ସନ୍ଧ୍ୟାରେ ଯଦି

କାକଳୀ ତୁମରି ଗାନ

ମୋ ନିତି ରାତିର ସପନ ଗୋ ଖାଲି

ତୁମ ମାନ ଅଭିମାନ

ଏ ରାତି ତ କାହିଁ ପାହୁ ନାହିଁ

ସେ ପକ୍ଷୀ କାକଳୀ ଗାଉ ନାହିଁ ।୨।

 

।। ଦୁଇ ।।

 

ଜୀବନଟା ଏକ ପଦ୍ମ

ଯଉବନ ତା’ର ମଧୁ

ପ୍ରଣୟ ତା’ ଏକ ନଦୀ

ଖୋଜେ ସେ ମିଳନ ସିନ୍ଧୁ ।୦।

 

ଯହିଁ, ବିରହର ନାମ ଆଦିମ ତୃଷ୍ଣା

ମିଳନର ନାମ ମଉସୁମୀ

ପ୍ରେମିକର ନାମ ମନର ମଣିଷ

ପ୍ରେମିକାର ନାମ ପ୍ରଣୟିନୀ

ବୀଚିର ପିପାସା, ଶାମୁକାର ଆଶା ।

ପ୍ରୀତିର ସିନ୍ଦୂର ବିନ୍ଦୁ ।୧।

 

ସେ ନଦୀର ନାମ ଅବୁଝା ବାସନା

ଜଳ ତାର ସ୍ରୋତସ୍ଵିନୀ

ତୀରର ନାମ ତା ଚନ୍ଦନ ବନ

ବାଲୁକା ତା ଅଭିମାନିନୀ

ତା’ର, ଲୋତକର ନାମ କୃଷ୍ଣା, କାବେରୀ

ହସ ତା’ ପୂର୍ଣ୍ଣମୀ ଇନ୍ଦୁ ।୨।

 

।। ତିନି ।।

 

ସାଥି ମୁଁ ଲେଖିଛି ଚିଠି, ଆଖିରୁ କଜ୍ଜଳ ନେଇ

ଅତୀତ ଦେହରେ

ତୁମେ କି ପଢ଼ିବ ତାକୁ ସ୍ଵପ୍ନ ନଦୀର ତୀରେ

ଜହ୍ନ ଆଲୁଅରେ ।୦।

ଅବା ମୋର ଚିଠି ତୁମେ ଜୀବନ ସଂଗୀତ କରି

ଗାଇବ ଯତନେ

ମନକୁ ମଶାଣି କରି ଅତୀତକୁ ଜାଳି ଦେଇ

ପାରିବ ମଉନେ

ନିରବେ ଭସାଇ ଦେଇ ଆମ ପ୍ରୀତି ଶବଟାକୁ

ସମୟ ସୁଅରେ ।୧।

ତୁମ ଦିଆ କଥା ସବୁ ଏବେ ବି ମୋ ମନ ତଳେ

ରଖିଛି ସାଇତି

ନୂଆରୁ ପୁରୁଣା ହୋଇ ମୋ ଦେହ ରକତ ପିଇ

ହୋଇଛି ସେ ସ୍ମୃତି

ସେ ସ୍ମୃତି ପିଟଇ ମଥା ଆଖିକୁ ସରିତ କରି

ଲୁହର ଜୁଆରେ ।୨।

Image

 

ଦେବଦାସ ଛୋଟରାୟ

୧୯୪୬

 

।।ଏକ।।

 

ସଂଦେହୀ ପ୍ରିୟତମା

ଦିନରାତି ବସି ହିସାବ କରୁଚି

ଖରଚ ସାଂଗକୁ ଜମା ।୦।

 

ହାତରେ ଧରିଲେ

ଗୋଲାପ, ସେ ଭାବେ

ଖିଲାପ କରିଚି କିଛି

ଗୋଲାପି କାଗଜ

 

ଦେଖିଲେ ପଚାରେ

ଆସିଚି କି କା’ର ଚିଠି

ସଂଦେହୀ ପ୍ରିୟତମା

ଆଖିରେ ମିଶାଇ ଆଖି କହେ ‘ତୁମେ’

ଲୋକ ଭଲ ନୁହେଁ ଜମା’ ।୧।

 

ଆଇନା ପରିକା

ଚିକିଚିକି ଆଖି

ଖେଳନା ପରିକା ନାକ

ଟିପ ମାରିଦେଲେ, ଦୁଧ ଅଳତାର

 

ଦାଗ ପଡ଼େ ଗାଲଯାକ ।

ସଂଦେହୀ ପ୍ରିୟତମା

ଏତେ କମନୀୟ

ମୁହଁରେ ତାହାର

ମିଳେନା ଯା’ ଟିକେ କ୍ଷମା ।

 

।। ଦୁଇ ।।

 

ଗାଁ ଏକଣାରେ ଅତି ଛୋଟ ଏକ କୁଡ଼ିଆ

ହେଲେ ବି ଗାଁର ସବୁ ଘରଠାରୁ ବଢ଼ିଆ ।୦।

 

ସେଇଠି ଥାଏ ସେ ନିରୋଳା ଝିଅ

ସବୁ ମୁହଁ ଠାରୁ ଅଲଗା ମୁହଁ

ତାରା ସୁରୁଜରେ ଜହ୍ନ ପଢୁଁଅ

ଜାଗର ରାତିର ନିଦୁଆ ସୁଅ

 

ପହିଲି ଦେଖାରେ ମନ ହୋଇଗଲା ଅଡୁଆ

(ତେଣୁ) ପହିଲି ଦେଖାରେ ପାନ ଦେଇଥିଲା ବିଡ଼ିଆ ।୧।

 

ଦୁଇ ଆଖିରେ ତା’ ଭାସୁଛି ଦୁଇଟି ଦୁନିଆ

ଯାହା ଘରେ ଥାଏ ତା’ ଘରେ ନିଇତି ସୁନିଁଆ

 

ହସିଲେ ଓଠରୁ ମୁକୁତା ଖସେ

କାନ୍ଦିଲେ ଆଖିରୁ ନୀଳା ବରଷେ

ରାଗିଲେ ଦେହରୁ ଉଲ୍‌କା ଖସେ

ଯେମିତି ଦେଖିଲେ ସୁନ୍ଦର ଦିଶେ

 

ଉପରେ କହେ ମୁଁ ମୁହିଁ କିଲୋ ତୋ’ର ମାନିଆ

(ତେଣେ) ମନେମନେ କହେ ହୁଅନ୍ତାକି ମୋର କନିଆଁ ।୨।

 

।। ତିନି ।।

 

ଅତି ବେଶିରେ ସେ ଷୋଳ କି ସତର ବରଷ

କେଜାଣି କାହିଁକି ତା ଲାଗି ଛାତି ମୋ ପରାଶ ।୦।

 

ନିତି ଡାକେ ନିତି କେବଳ ଫେରେ

ଜିତିବି ଭାବି ମୁଁ କେବଳ ହାରେ

ଅଟକାଇ ଦେଲେ କହେ ସେ ଆରେ

ନୂଆ ନୂଆ ବୋଲି ଛାତି ମୋ ଥରେ ।୧।

 

ଭାଗ୍ୟ ମୋ ଥିଲା କେଶ ପରି ତା’ର ଉଁଆସ

(ଏଣେ) ପୀରତିରେ ତା’ର ଗୋଟା ପଣେ ମୁହିଁ ବେହୋସ ।୨।

Image

 

ସଂଗ୍ରାମ କେଶରୀ ମହାନ୍ତି

୧୯୪୭

 

।। ଏକ ।।

କୁଆଡ଼େ ଗଲା ସେ ଦିନ

ରାତିରାତି ଯେବେ ତୁମେ ଆଉ ମୁଁ

ଦେଖିଥିଲେ ବସି ଜହ୍ନ ।୦।

 

ଉସୁକାଉଥିଲା ଧାରା ଶିରାବଣ

ମେଘରେ ଭିଜିବା ପାଇଁ

ଚନ୍ଦନ ଭଳି ଦେହେ ଭିଜୁଥିଲା

ବୁଢ଼ା ଖରା ଚାଇଁ ଚାଇଁ

ପହଁରି ପହଁରି ଯାଉଥିଲେ ଆମେ

ଜୁଆରିଆ ଯଉବନ ।୧।

 

ଲଗାମ ନଥିବା ସମୟ ଘୋଡ଼ାରେ

ବୟସ ଚାଲିଛି ଛୁଟି

ସଲାମ ମାଗୁଛି ଆହତ ଅତୀତ

ପଛଆଡ଼େ ପଡ଼ି ଉଠି

ବୟସ ମୋହର ନ ଆସୁଣୁ ଆସି

ଫେରିଗଲା ଯଉବନ ।୨।

 

।। ଦୁଇ ।।

 

ତୁମେ ଆସିବ ଆସିବ ବୋଲି ଆସିଲ ନାହିଁ

ମୁଁ ଫୁଟିବି ଫୁଟିବି ହୋଇ ରହିଲି ଚାହିଁ ।

ନାଁ-ଆସୁଚ କହି ନା ଫୁଟୁଚି ମୁହିଁ

ଫଗୁଣ ଆସିଲେ ମୋତେ ଛାଡ଼ିବ ନାହିଁ ।୦।

 

ତା’ ପାଇଁ ରଖିବି ବାସ ପକାଇ କଞ୍ଚି

ଯିଏ ମୋତେ ଫୁଟାଇବ ତାକୁ ତ ଦେବାକୁ ହେବ ମହକ ବିଞ୍ଚି

ରହିକି ପାରିବି ଚିର କଳିକା ହୋଇ ।୧।

 

ଉଚ୍ଛନ୍ନ କଲାଣି ଏଣେ କୋଇଲି କୁହୁ

ପିଆସିଆ ମହୁମାଛି ଖୋଜିଲାଣି ଲୁଚିଲୁଚି ପିଇବ ମହୁ

କାହାକୁ କହିବି ହଁ-କାହାକୁ ନାହିଁ ।୨।

 

।।ତିନି ।।

 

ଅନେକ ରାତିର ସ୍ଵପ୍ନ ଗୋ ତୁମେ

ବହୁତ ଦିନର କାମନା

ଅସୀମ ଆଶାର ଆଶାବରୀ ରାଗ

ହୃଦୟ ବୀଣାର ମୂର୍ଚ୍ଛନା ।୦।

 

ଅଶୁଣା ଗୀତର ମଧୁର ଆଳାପ ଅକୁହା କଥାର ଛନ୍ଦ

ଅଭୂଲା ପ୍ରୀତିର ପ୍ରଥମ ପରଶ ଅଫୁଟା ଫୁଲର ଗନ୍ଧ

ଅମାନିଆ ଏଇ ପିଆସୀ ପରାଣେ

ଓଜନିଆ ମନ ଭାବନା ।୧।

 

ଅଦେଖା ମରୁର ତୁମେ ମରୁଝର ଅଜଣା ତିଥିର ଜହ୍ନ

ଅଭଙ୍ଗା ଦେଉଳ ଚାରୁ ମୁଖଶାଳା ଅଭିଲା ସ୍ମୃତିର ଚିହ୍ନ

ଅଝରା ରୂପର ରୂପବତୀ ତୁମେ

ଅସରା ପ୍ରେମର ମଇନା ।୨।

Image

 

ସଚ୍ଚି ମହାନ୍ତି

୧୯୪୭

 

।। ଏକ ।।

ବାସି ପୁନେଇଁର ମଲାଜହ୍ନ ମୁହଁ

ଦେଖିବାର ଇଚ୍ଛା ନାହିଁ

ଖୋଲୁଥିଲା ତାର ପାଖୁଡ଼ା ଝରକା

ମୁଦି ଦେଲା ନୀଳ କଇଁ ।୦।

 

ଦେଖିଦେଲେ କାଳେ ବେସୁରା ହେବ ତା’

ସୁରଭିଜା ପ୍ରେମଗୀତି

ଅପସରି ଯିବ ତା’ ମରମ ତଳୁ

କାଳେ ପ୍ରଣୟର ତାତି

ଦେଖା ଦେବ ତାକୁ ଆସିଲେ ତା’ ପାଶେ

ଉଆଁସ ପାଚେରୀ ଡେଇଁ ।୧।

 

ଖୋଜିବନି କେବେ ପୁନେଇଁ ଆଗରୁ

ମରିବନି ତାକୁ ଝୁରି

ସେତେଦିନ ଯାଏ ରହିବାକୁ ହେବ

ସବୁତକ ଶୋଷ ମାରି

ଦରଫୁଟା ପଛେ ରହିଲେ ରହିବ

ଫୁଟି କିଛି ଲାଭ ନାହିଁ ।୨।

 

।। ଦୁଇ ।।

 

ସୂର୍ଯ୍ୟକୁ ଟିକେ ମାଗିଲି ତାତି ମୁଁ

ସିଏ ଢାଳି ଦେଲା ନିଆଁ

ଜହ୍ନକୁ ଟିକେ ଜୋଛନା ମାଗିଲି

ଦେଲା ସେ କୁହୁଡ଼ି ଧୂଆଁ ।୦।

 

ତାରାକୁ ମାଗିଲି ମୋତିରୁ ଟିକିଏ ଆଖିଠାରି କଲା ନାହିଁ

ରାତିକୁ ମାଗିଲି ପ୍ରୀତି ଟିକେ ଦିଅ ଚୁପ୍‌ଚାପ୍‌ଗଲା ଶୋଇ

ଆକାଶକୁ କିଛି ମାଗିବାକୁ ଗଲି

ଦେଲା ନାହିଁ ଧରାଛୁଆଁ ।୧।

 

ମାଟିକୁ ମାଗିଲି ଚନ୍ଦନ ଟିକେ ସିଏ ବୋଳି ଦେଲା ପଙ୍କ

ଶାମୁକା ପାଇଁ ମୁଁ ବେଳାଭୂଇଁ ଗଲି ଚାଲି କଷାଇଲା ଅଙ୍କ

ପୂଣ୍ୟ ଟିକିଏ ନଦୀକୁ ମାଗିଲି

କହିଲା କୋଉଠି ଗାଆଁ ।୨।

 

।। ତିନି ।।

 

ମୁଁ ଯେ ସାଗରୀକା

ମୋ ଗଭୀର ମନତଳେ

ସ୍ନେହର ଲହରୀ ଖେଳେ

ମୋ’ କଥାରେ ନାହିଁ ଟିକେ ମିଛ ପ୍ରହେଳିକା ।୦।

 

ସାତ ସାଗରରେ ମୋର ସାତଟି ଉଆସ

ତେର ନଦୀ ଗହଣରେ କରୁଛି ବିଳାସ

ଢେଉର ସବାରୀ ଚଢ଼ି, ଆସେ ମୁଁ ନଗର ବୁଲି

ମୋ’ ସାଥିରେ ନେଇ କେତେ ଶଂଖ-ଶାମୁକା ।୧।

 

ନୀଳ ନୀଳ ଆଶା ମୋର ଭାଷାଟି ଲହରୀ

ଭାରି ଅସହଜ ମୋତେ ବୁଝିବା ସବୁରି

ମୋ ଚହଲା ମନ ନେଇ, କେବେ ଦିନେ ହାରିନାହିଁ

ମୁଁ ଏମିତି ସବୁଦିନେ ବେଳାର ପ୍ରେମିକା ।୨।

Image

 

ମନୋରମା ବିଶ୍ଵାଳ ମହାପାତ୍ର

୧୯୪୮

 

।। ଏକ ।।

ଖିଆଲି ମନର କଳ୍ପନା ତୁମେ ଝରା ଶେଫାଳୀର ଗୀତି

ସାତ ସାଗରର ଅତଳ ଜଳରେ ଖୋଜେ ମୁଁ ତୁମରି ପ୍ରୀତି ।୦।

 

ଝାଉଁବନ ତଳ ଉତ୍ତାଳ ଢେଉ

ମେଘ ମହ୍ଲାର ତୋଳେ

ଶ୍ରାବଣ ମେଘର ନୀଳ ଅଂଚଳ

ମୋ ମନେ ସପନ ବୋଳେ

ନୀରବ ମନର ମୂର୍ଚ୍ଛନା ତୁମେ ପ୍ରଥମ ପ୍ରଣୟ ସ୍ମୃତି ।୧।

 

ହଜିଲା ଅତୀତ ମନ ଅଗଣାରେ

ମେଘ ଯେବେ ଯାଏ ଝରି

ଜୀବନର ସେଇ ମଧୁଛନ୍ଦରେ

ମୁଁ କେବଳ ହୁଏ ଝୁରି

ସ୍ଵପ୍ନ ବିଭୋର କବି ଲେଖନୀରେ ଖୋଜୁଛି ତୁମରି ସ୍ମୃତି ।୨।

 

।। ଦୁଇ ।।

 

ହଳଦୀ ବସନ୍ତ ଅଳସ ଲଗନେ ରହି ରହି ଡାକ ଦିଏ

କବି ଜୀବନର ମଧୁଝରା ଗାନ ସତେ କି ସେ ଗାଉଥାଏ ।୦।

 

ପ୍ରୀତିଝରା ସେଇ ଗାନର ଭିତରେ

ବରଷେ ପ୍ରୀତିର ଫୁଲ

ମଧୁଝରା ସେଇ ଗଜଲ ସହିତ

ମୁକୁତା ହେବ କି ତୁଲ

କବି ଜୀବନର ଏକି ଆଲୋଡ଼ନ ହୃଦୟକୁ ଛୁଇଁଯାଏ ।୧।

 

ହଳଦୀ ବସନ୍ତ ଉଡ଼ି ଆସିଅଛି

କେଉଁ ଦୂର ବନାନୀରୁ

କବିର ଲେଖନୀ ଚଂଚଳ ହେବ

ମହକିବ ତୀର ତରୁ

ମଳୟ ସତେକି ଛପି ଛପି ଆସି ଲୁଚକାଳି ଖେଳୁଥାଏ ।୨।

 

।। ତିନି ।।

 

ବଣୁଆ ନଈର ହାତ ପାପୁଲିରେ

ଜହ୍ନ ଉଇଁଲା ବେଳେ

ବାଦଶାହୀ ତା’ର ମନର ମହଲେ,

ପ୍ରୀତିର ଦୀପାଳି ଜଳେ ।୦।

ପ୍ରୀତି କିବା ଏକ ମନୋଇ ଝିଅର

ମଂଜୁଆତି ରଂଗ ହସ

ସାତ ସାଗରର ନୀଳିମା ଭିତରେ

ଆଖିରେ ତା’ ପ୍ରୀତି ରାସ

ଗୋଧୂଳି ଲଗନ ଅନୁରାଗ ହୋଇ

ପ୍ରୀତିର ପାଖୁଡ଼ା ମେଲେ ।୧।

ମହୁଲ ଫୁଲର ମହକ ଭିତରେ

ବଣୁଆ ନଈର ଧାର

ମାଦକତା ଭରା ମନ ଯମୁନାରେ

ଲେଖା ନେତେ କବିତାର

ଭଲ ପାଇବାର ପୁଲକ ଭିତରେ

ନିତି ସିଏ ଆଖି ଖୋଲେ ।୨।

Image

 

ଉପେନ୍ଦ୍ର ପ୍ରସାଦ ନାୟକ

୧୯୫୦

 

।। ଏକ ।।

ଦିନ ବଦଳୁଛି ମନ ବଦଳୁଛି

ବଦଳୁଛି ମୋର ବଳୟ

ବାସନ୍ତୀ ଲଗନେ ବନେ ଉପବନେ

ହସୁଛି ମହକ ମଳୟ ।୦।

 

ରଂଗର ମହଲ ଚହଲି ଯାଉଛି

ଚହଲେ ଜୀବନ ଛବି

ସବୁ ସପନ ମୋ ଏକଠୁଳ ହୁଏ

କେମିତି ପାରନି ଭାବି

ଜିଣିବି କି ଗଡ଼ ଆସିବ ବା ଝଡ଼

ମାଡ଼ିଯିବ ଖଣ୍ଡ ପ୍ରଳୟ ।୧।

 

ତୁମେ ଥିଲେ ଦୂରେ ଅଧା ଅଧା ଲାଗେ

ଜୀବନର ଯେତେ ସପନ

କାହାକୁ କହିବି ଏ ମନର କଥା

ରଖିବି ବା ସବୁ ଗୋପନ

ଆସ ଆସ ପ୍ରିୟା ରଚିଦିଅ ଏଠି

ମୋ ପାଇଁ ମଧୁର ଆଳୟ ।୨।

 

।। ଦୁଇ ।।

 

ବଂଚିବାକୁ ଇଚ୍ଛା ମୋର

ଘାସ ଫୁଲଟିଏ ହୋଇ

ସବୁଜ ପ୍ରାନ୍ତର ବୁକେ

ହସୁଥିବି ରହିରହି ।୦।

 

ଜୀବନର ଉପବନେ

ଭକତି ମୋ ଦିଅ ଛାଇ

କହୁଥିବି ମିଠାକଥା

ଚାନ୍ଦ ଜୋଛନାକୁ ଚାହିଁ

ତୁମ ପଦକଂଜ ତଳେ

ବହୁ ମୋ ଜୀବନ ନଈ ।୧।

 

ଲୋଡ଼ାନାହିଁ ରାଜପଦ

କାମନା ବାସନା ମୋର

ଘାସ ଫୁଲଟିଏ ହେଲେ

ପାଇବି ପରଶ କା’ର

ଝରିବ ପୁଲକ ହସ

ଯାତନା ମୋ ଯିବ ଧୋଇ ।୨।

 

।। ତିନି ।।

 

ଭଲପାଇବାର ମାନେ ମୁଁ ଖୋଜିଲି

ଅଭିଧାନ ଗଲା ହଜି

ତୁମ ମୁଖେ ହସ ପାଖୁଡ଼ା ଖୋଜିଲି

ଦୁଇ ଓଠ ଦେଲ ବୁଜି ।୦।

ଫୁଲକୁ ଚାହିଁଲି ମୁହଁ ମୋଡ଼ିଦେଲା

ପରିହାସ କରି ମୋତେ

ଘାସକୁ ଛୁଇଁଲି ହାତ ପାପୁଲିରେ

ଝାଉଁଳି ପଡ଼ିଲା ସତେ

ଗିରିଗୁହା ବନ ସାଗର ଆକାଶ

ବୁଲିଲି ତୁମକୁ ଖୋଜି ।୧।

ସବୁଠି ଘୂରିଲି ପାଇଲିନି କାହିଁ

ତୁମରି ହସିଲା ମୁହଁ

ବିରହର ଗାଥା ଶୁଭୁଥିଲା ଖାଲି

ଉଠୁଥିଲା ବୁକେ କୋହ

ସପନର ରେଣୁ ବୁଣି ହୋଇଗଲା

ଜୀବନ କେଦାରେ ଆଜି ।୨।

Image

 

ଲକ୍ଷ୍ମୀନାରାୟଣ ମହାନ୍ତି

୧୯୫୧

 

।। ଏକ ।।

କେବେ ତୁମେ ଅତି ନିଜର, କ୍ଷୀର ନୀରର ନମୁନା ନେଇ

କେବେ ପୁଣି ହୋଇଛ ପର, ପଲକେ ସାତ ସାଗର ଡେଇଁ ।୦।

 

କେବେ ମୋତେ ଭଅଁର କରି, ପଦ୍ମ ହୋଇ ଯାଇଛ ଫୁଟି

ଛଳନାର ଇନ୍ଦ୍ରଜାଲେ ସବୁ ମୋ’ ପ୍ରେମ ନେଇଛ ଲୁଟି

ପାଖୁଡ଼ାରେ ବନ୍ଦୀ କରି, ହସିଛ ମୋତେ ମରଣ ଦେଇ ।୧।

 

କେବେ ମୋ’ର ହୃଦୟ ତଳେ ଛନ୍ଦମୟୀ ଝରଣା ହୋଇ

ନିରିମଳ ଶୀତଳ ଜଳେ ଜ୍ଵଳନ ସବୁ ନେଇଛ ଧୋଇ

କେବେ ପୁଣି ଅନଳ ହୋଇ, ଯାଇଛ ମୋତେ ଜଳାଇ ଦେଇ ।୨।

 

।। ଦୁଇ ।।

 

ଭୁଲ ବୁଝିପାରି ଯଦି ଆସ ଫେରି ମତେ ପୁଣି ଭଲ ପାଇ

ବୁଝିବି ତୁମର ପାଷାଣ ମନଟା ତରଳିଛି ଲୁହ ହୋଇ ।୦।

 

ଏବେବି ତ ଖୋଲା ମୋ ମନ ଦୁଆର

ପଡ଼ିନାହିଁ ତହିଁ ପାଦ ଯେ କାହାର

ଆସିଲେ ଦେଖିବ, ଚାଲି ଯାଇଥିଲ ବାହାରୁ ଶିକୁଳି ଦେଇ ।୧।

 

ଖୋଲି ମୋର ମନ ଦୁଆରୁ ଶିକୁଳି,

ଦେଖିବ ଭିତରେ ଦୀପଟିଏ ଜାଳି

ଅଛି ତୁମ ସ୍ମୃତି, କାନ୍ଥରେ ଯାହା ଯାଇଥିଲ ଲେଖିଦେଇ ।୨।

 

।। ତିନି ॥

 

ଆଜି ବି ସେ ନଈ ବହେ, ଆଜିବି କୋଇଲି ଗାଏ

ସ୍ମୃତି ତା’ର ଅଛି ସିନା ହେଲେ ଆଜି ନାହିଁ ସିଏ ।୦।

 

ସେଦିନ ବି ଏମିତିକା ଫୁଲ କେତେ ଫୁଟିଥିଲା

ବାସଭରା ଫଗୁଣ ବି ହସି ହସି ଲୋଟିଥିଲା

ଆଜିର ଏ ଫୁଲ ସବୁ କଣ୍ଟା ମୋ’ ଲାଗି ହୁଏ,

ଫଗୁଣ ବି ମୋ’ ଆଖିରେ ଶ୍ରାବଣର ରୂପ ନିଏ ।୧।

 

ପ୍ରେମର ସହରେ ଆଜି ଭରା ଖାଲି ହାହାକାର

ଜହ୍ନ ତ ହସେ ନାହିଁ, ଏଠି ଖାଲି ଅନ୍ଧାର

ମୁଁ ଜାଣିଛି ଆଉ କେବେ ଆସିବନି ଫେରି ସିଏ

ତଥାପି ଅବୁଝା ମନେ ଜଳେ ଆଶା ଦୀପଟିଏ ।୨।

Image

 

କୀର୍ତ୍ତନ ନାରାୟଣ ପାଢ଼ୀ

୧୯୫୧

 

।। ଏକ ।।

ଭାବର ସାଗରୁ ଆଣି

ଭାଷାର ମୁକୁତାଟିଏ

ରାତି ଉଜାଗର ରହି

ଲେଖିଲି କବିତାଟିଏ ।୦।

 

ହୃଦୟ ବୀଣାରୁ ଛାଣି

ଆଣିଲି ସୁର ଗୋଟିଏ

ମନରୁ କାହାଣୀ ନେଇ

ରଚିଲି ରାଗିଣୀଟିଏ

ଶୁଣି ପାରେନା ଶ୍ରାବଣ

ଫଗୁଣେ କୋଇଲି ଗାଏ ।୧।

 

ରଖିଲି ଗୋପନ ଏହି

ଗୀତର ନାୟିକା କିଏ

ମିଛ କି ସତ ସପନ

ଜାଣିବ ଶୁଣିବ ଯିଏ

ସହି ପାରେନା ପାଷାଣ

କେବଳ ସହୁଛି ଇଏ ।୨।

 

।। ଦୁଇ ।।

 

ଚକୋରୀ ଗୋ ତୁମେ ଚିର

ସୁକୁମାରୀ ଲଳନା

ଚୋରା ଚୋରା ଚାହାଣୀରେ

କର ଛୁରି ଚାଳନା ।୦।

 

ଚାରୁଶୀଳା ଚଳାପାଙ୍ଗୀ

ଛଇଳା ଯଉବନା

ଚାରୁକେଶୀ ଚାରୁହାସୀ

ଚାରୁ ଭାଷୀ ଅଙ୍ଗନା

ଛାୟାବାଜିରେ ନିପୁଣା

କରନାହିଁ ଛଳନା ।୧।

 

ଛାତିର ଛନକା ଚିତ୍ତ-

-ଭୁଲା ଚିତ୍ର ପ୍ରତିମା

ଚପଳ ତନୁରେ ହସେ

ଶରତର ଚନ୍ଦ୍ରମା

ତୁମ ଛବିଳ ରୂପର

କେ କରିବ କଳନା ।୨।

 

।। ତିନି ॥

 

ତନୁରେ ତୁମର ଅମରାବତୀର

ସୁଷମା ରହିଛି ଭରି

ମୁଖରେ ତୁମର ନନ୍ଦନ ବନର

ସୁରଭି ରହିଛି ଘେରି ।୦।

 

ତୁମରି ପରଶ ପାଇ ମୁଁ ଧାଇଁଛି

ବାହି ମୋ ଜୀବନ ତରୀ

ଦିଅ ଦେଖା ଥରେ ଧରା ନ ଦେଲେ ବି

ଶୁଖିବ ନୟନୁ ବାରି ।୧।

 

କେତେ ଫୁଲ ଦେଖି ତୁମକୁ ବାଛିବି

ତୋଳିବି ଆଦର କରି

ଏହି ଜୀବନରେ ଯେତେ ଆଶା ଅଛି

ସବୁଯିବ ମୋର ପୂରି ।୨।

Image

 

ଗୀତା ଖୁଣ୍ଟିଆ

୧୯୫୨

 

॥ ଏକ ।।

ଏ ଜୀବନ ଏକ ସ୍ଵପ୍ନ, ପୁଣି ଏ ଜୀବନ ଏକ ଯନ୍ତ୍ରଣା

ଏ ଜୀବନ ମିଛ କୁହୁଡ଼ିରେ ଭରା, ସୀମାହୀନ ଏକ କାମନା ।୦।

 

ପ୍ରଦୀପ ଆଧାରେ

ସଳିତା ପରି ଏ

ଜୀବନଟା ଯିବ ଜଳି,

ଶିଖାର ଆଲୋକେ

ଅନ୍ଧକାରକୁ

ସଭିଏଁ ତ ଯିବେ ଭୁଲି ।

ଯଦି ଏ ଜୀବନ ଆଲୋକିତ ହେବ, ସେ’କି ହେବ ଏକ ଛଳନାର ।୧।

 

ଜୀବନଟା ସାରା

ଜଳି ଜଳି ଯଦି

ବଞ୍ଚିପାରିଲା କେହି,

ମୁଠାଏ ପାଉଁଶ

ଲୋଡ଼ା ହେବ ନାହିଁ

ମଶାଣୀରେ ଜୁଇ ହୋଇ

ଏ ଜୀବନ ପାଇଁ ଲୁହ ଝରାଇବା, ହୋଇପାରେ ଏକ ବାହାନା ।୨।

 

।। ଦୁଇ ।।

 

ଅଶ୍ରୁରେ ଲେଖା ଏ କବିତା ମୋର ବୁଝିକି ପାରିବ ଜାଣେନା

ଲୁହରେ ଭିଜିଛି ଅକ୍ଷର ସବୁ ପଢ଼ିକି ପାରିବ ଜାଣେନା ।୦।

ମନ ଉପବନେ

ଅଦିନେ ମୋହର

ପ୍ରୀତିଫୁଲ ଫୁଟାଇଲ,

ସେଇ ପ୍ରୀତି ଫ୍ରୁଲ

ଫୁଟି ଝରିଗଲା

ଦେଲ ନାହିଁ ତା’ର ମୂଲ

କାହିଁ କେତେଦୂରେ, ଅଛ ଆଜି ତୁମେ ମୋ କଥା କି ମନେ ପଡ଼େନା ।୧।

ଏ ଆଖିର ଲୁହ

ବହିଗଲା ସବୁ

ଝରଣାର ଜଳ ହୋଇ,

ସାଜିଲି ଆଜି ମୁଁ

ପାଷାଣୀ କନ୍ୟା

ସେ ଲୁହ ଝରଣା ପିଇ

ଏଇ ଲୁହ ତୁମ ଚରଣ ଛୁଇଁଲେ, ଚିହ୍ନିକି ପାରିବ ଜାଣେନା ।୨।

Image

 

ପ୍ରଫୁଲ୍ଲ କୁମାର ଜେନା

୧୯୫୨

 

।। ଏକ ।।

 

ଶାମୁକା ସାଇତି ରଖେ

ଯେମିତିକା ମୋତି

ସେମିତି ମୋ ମନତଳେ

ସାଇତିଲି ସ୍ମୃତି ।୦।

 

 

ଶାମୁକା ଦେଖଇ ସ୍ୱପ୍ନ

ସାଗର ବେଳାରେ

ସ୍ମୃତିତ ସପନ ସାଜେ

ନିତି ମୋ ମନରେ

ବେଳେବେଳେ ଉଜାଗରେ

ପାହିଯାଏ ରାତି ।୧।

 

 

ଭଲଲାଗେ ଚାଲିବାକୁ

ମରୀଚିକୀ ପଥେ ।

କାଳେ ଦେଖା ମିଳିଯିବ

ଭାବେ ତୁମ ସାଥେ

ଜାଣି ଜାଣି ଅନ୍ଧ ହେଲି

ପାଇ ତୁମ ପ୍ରୀତି ।୨।

 

।। ଦୁଇ ।।

 

ଅନେକ ଫୁଲର ମହକ ତୁମେ ଗୋ

ଫୁଲର ଅନେକ ରଂଗ

ମନ ମୋର କିଆଁ ମଧୁକର ସାଜି

ଖୋଜେ ଖାଲି ତୁମ ସଂଗ ।୦।

 

ଅନେକ ରାତିର ସପନ ତୁମେ ଗୋ

ମିଳନର ମଧୁ ଆଶା

ଅକୁହା ମନର କାହାଣୀ ତୁମେ ଗୋ

ନୟନ କୋଣର ଭାଷା

କେବେ ଅବା ତୁମେ ବିରହର ଗୀତି

ମୋ ଲାଗି ପୁରବୀ ରାଗ ।୧।

 

ଅନେକ ସନ୍ଧ୍ୟାର ଗୋଧୂଳି ତୁମେ ଗୋ

ମନଭୁଲା ଅସ୍ତରାଗ

ଶୁଭ ସକାଳର କାକଳି ତୁମେ ଗୋ

ପଦ୍ମ ମଧୁର ଗନ୍ଧ

ଜୀବନ ବୀଣାରେ ଝଙ୍କାର ତୁମେ

ପୀରତିର ଅନୁରାଗ ।୨।

 

।। ତିନି ।।

 

ବଂଚିବା ପାଇଁ ସାଥୀଟିଏ ଲୋଡ଼ା

ସାଥୀ ପାଇଁ ଲୋଡ଼ା ପ୍ରୀତି

ଦୁଇଟି ମନର ଅକୁହା କଥା ସେ

ଗାଇଦେଲେ ପ୍ରୀତି-ଗୀତି ।୦।

ଶବ୍ଦସବୁ ଆସି ଆପେ ଧରାଦିଏ

ଫୁଲ ସାଥେ ପ୍ରଜାପତି

ମଳୟ ପବନ ଭୁଲି ଫୁଲବନ

ଘୂରିବୁଲେ ଦିନରାତି

ତନ୍ଦ୍ରା ଜଡ଼ିତ ମୋ ପ୍ରିୟା ନୟନେ

ସପନ ଉଠେ ଗୋ ମାତି।୧।

ବିରହ ବେଦନା ଅନେକ ଯାତନା

ମରମକୁ ଦିଏ ଘାରି

ଭୁଲି ହୁଏ ନାହିଁ ବେଶି ମନେପଡ଼େ

ଦୁଃଖ ଆଣେ ଅସୁମାରି

ଏମିତି ବେଳରେ ପ୍ରୀତି ଯେ ପାଲଟେ

ଅଭୁଲା ଅତୀତ ସ୍ମୃତି ।୨।

Image

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

୧୯୫୩

 

।। ଏକ ।।

ପ୍ରେମ ଚିର ଅମର

ପ୍ରେମ ପାଇଁ ଧରା ସୁନ୍ଦର

ପ୍ରେମ ପାଇଁ ଏଇ ପୃଥିବୀରେ ସିନା

ଏତେ ରୂପ ସଂଭାର ।

 

ପ୍ରେମଗଂଗା ବହେ

ଝରେ ଅବିରତ

ନିତି ହସେ ସେଠି

ସ୍ଵର୍ଗ ପାରିଜାତ

ଅମୃତମୟ

ପ୍ରେମର ପୃଥୀବି

ମଣିଷକୁ କରେ ବିଭୋର ।୧।

 

ନିର୍ମଳ ହୃଦୟ

ପ୍ରେମରେ ଅଧର

ଚାହେଁ ନାହିଁ କେବେ

ପ୍ରତିଦାନ ତା’ର

ପ୍ରେମ ଋତୁମୟୀ

ନିତ୍ୟ ରାସ ଭୂଇଁ

ଶୁଭେ ଯଦି ମଧୁ ଝଙ୍କାର ।୨।

 

।। ଦୁଇ ।।

 

ଦୁନିଆରେ ଜୀବନଟା ଏମିତିକା ଗୀତଟିଏ

ସୁଖ ଦୁଃଖ ଦୁଇ ରାଗେ ଗାଇବାକୁ ହୋଇଥାଏ ।୦।

 

ସେ ଗୀତରେ ଅଛି କେତେ ନୂଆ ଅନୁଭୂତି

ମିଳନର ଦିନ ଆଉ ବିରହର ରାତି

କେତେ ଛନ୍ଦ ଭରା

ଛନ୍ଦହୀନ ପୁଣି

ତଥାପି ବି ଏ ମଣିଷ ଗାଇବାକୁ ଚାହେଁ ।୧।

 

ସେ ଗୀତର ସୁର ହୁଏ କା’ ପାଇଁ ମଧୁର

କାହାପାଇଁ ହୁଏ ସେ ତ ଶିଖା ଅନଳର

କେବେ ହୁଏ ବଇଶାଖି

କେବେ ତ ବରଷା ରାତି

ତଥାପି ସେ ଗୀତ ଗାଇ ଚାଲିବାକୁ ହୁଏ ।୨।

 

।। ତିନି ।।

 

ହୃଦୟକୁ ଯଦି ଟିକେ ହୁଅନ୍ତା ଦେଖାଇ

ତେବେ ଅବା ତୁମକୁ ମୁଁ ପାରନ୍ତି ବୁଝାଇ ।୦।

 

ମନକଥା ଯଦି ଟିକେ ପଢ଼ାଇ ହୁଅନ୍ତା

ମୋ ମନର ଦୁଃଖ ଅବା ତୁମକୁ ଛୁଅନ୍ତା

ଏ କଥାକୁ କହି ଆଜି କିଛି ଲାଭ ନାହିଁ ।୧।

 

ଦହନର ରଂଗ ଯଦି ଆଖିକୁ ଦିଶନ୍ତା

ତେବେ ଅବା ତମ ଆଖି ଲୁହରେ ଭିଜନ୍ତା

ଏସବୁକୁ କେହି କେବେ ପାରିନି ଦେଖାଇ ।୨।

Image

 

ଅନ୍ନପୂର୍ଣ୍ଣା ନନ୍ଦ

୧୯୫୩

 

।। ଏକ ॥

ନବ ପଲ୍ଲବ ଶାଖାରେ ଶାଖାରେ

ବର୍ଷା ଆସିଛି ଆଜି

ରିମ୍‌ଝିମ୍‌ ସୁରେ ଗାଏ କେ ଅଧୀରେ

ମେଘ ମହ୍ଲାରେ ହଜି ।୦।

 

ଲତା ବିତାନରେ ଶ୍ୟାମଳ କେଦାରେ

ମେଘ ରଚେ ମଉଚ୍ଛବ

ଗଗନେ ପବନେ ବନେ ଉପବନେ

ଆଷାଢ଼ର ଅନୁଭବ

ବାହୁ ମେଲି ଡାକେ ନଦୀକୁ ସାଗର

ବକ୍ଷେ ଯାଅ ମୋ ମଜି ।୧।

 

ଇନ୍ଦ୍ରଧନୁର ସପତ ରଂଗ

ସ୍ଵପ୍ନ କଜଳ ବୋଳେ

ଚାତକ ପାଇଁକି ଚାତକିନୀ ପ୍ରାଣ

ବେପଥୁ ଛନ୍ଦ ତୋଳେ

ଋତୁମତୀ ଧରା ପ୍ରୀତିରେ ଅଧୀରା

ଲଜ୍ୟାରେ ଯାଏ ଭିଜି ।୨।

 

।। ଦୁଇ ।।

 

ଏମିତି ସକାଳ ନାହିଁ ଯାହା ସଞ୍ଜ ନହୋଇଛି

ଏମିତି ଦିନଟେ ନାହିଁ ଯେବେ ରାତି ନ ପାହିଛି ।୦।

 

କଢ଼ିଟିଏ ଫୁଲ ହୋଇ ମଉଳି ଯାଉଛି

ଆୟୁଷ ଦୀପରୁ ତେଲ ସରି’ତ ଯାଉଚି

କୁହ କିଏ ସବୁଦିନ ଏକାପରି ରହୁଛି ।୧।

 

ବଦଳୁଛି ଦେହ ପୁଣି ବଦଳୁଛି ମନ

ଚିର ନୁହେଁ ଦୁନିଆରେ ଧନ ଯଉବନ

କାଲିର ବସନ୍ତ ଆଜି ବୈଶାଖ ସାଜୁଛି ।୨।

 

।। ତିନି ॥

 

ଆଖି ଲୁହ ସିନା କାନି ପୋଛିଦିଏ

ମନ ତ କୁହୁଳି ଜଳୁଥାଏ

ବୁଝେଇ ଶୁଝେଇ ଯେତେ କହିଲେବି

ମନଟାକୁ କିଏ ଚିହ୍ନିଥାଏ ।୦।

ଅଭିନୟ କରି ହସେ ଏ ମଣିଷ

ଭିତରେ ଭିତରେ କାନ୍ଦି

ସଂପର୍କର ସେ ଅଡ଼ୁଆ ସୂତାଟି

ଦେଇଛି ତାକୁ ଯେ ଛନ୍ଦି

ମୁକୁଳିବ ଭାବି ମୁକୁଳି ପାରେନା

ମନେ ମନେ ଲୁହ ଢାଳୁଥାଏ ।୧।

ନିଜର ବୋଲି ସେ ଯାହାକୁ ଭାବିଲା

ସଭିଏଁ ଦେଲେ ତ ଠକି

ଜୀବନରେ ଆଉ ବଳକା ଆୟୁଷ

କେତେ ବା ରହିଲା ବାକି

ଭୁଲିଯିବ ବୋଲି ଯେତେ ଭାବିଲେ ବି

ନିତି ନିତି ସେତ ଝୁରୁଥାଏ ।୨।

Image

 

ଅଲେଖ ଚନ୍ଦ୍ର ପଢ଼ିଆରୀ

୧୯୫୩

 

।। ଏକ ।।

ଜୀବନ ସନ୍ଧ୍ୟା ପରେ,

ଦିନେ ନା ଦିନେ ଗୋ ଦେଖାହେବ ସାଥୀ

ଅଜଣା କେଉଁ ମନ୍ଦିରେ ।୦।

 

ଝରି ଯାଇଥିବ କବରୀ କୁସୁମ

ପଳାଶ ପ୍ରୀତି ସୁମନ,

ହଜି ଯାଇଥିବ ସାଗର ବେଳାରୁ

ଫେନିଳ ତରଙ୍ଗମାନ

ଦେଖା ହେବ ରୂପ ଯଉବନ ଭରା

ପ୍ରହେଳିକା ସୀମା ପରେ ।୧।

 

ଯାହା ରହିଥିବ ସତ୍ୟ ସୁନ୍ଦର

ସପନର ସ୍ୱାତୀ ତାରା,

ତିମିର ସାଗରେ ଶାଶ୍ୱତ ଯାହା

ଅଲିଭା ଅମୃତ ଧାରା ।

ସ୍ଵର୍ଣ୍ଣର ଯେଉଁ ମନ୍ଦିର ଅଛି

ଦେଖା ହେବ ସେଇଠାରେ ।୨।

 

।। ଦୁଇ ।।

 

ଅନେକ ରାଗର ରାଗିଣୀ ତୁମେ ଗୋ !

ତୁମେ ଗୋ ଛନ୍ଦମୟୀ,

ଅନେକ ହସର ମଧୁରିମା ତୁମେ

ତୁମେ ଗୋ ଲାସ୍ୟମୟୀ ।୦।

 

ଅନେକ ରାତ୍ରିର ଶ୍ରେଷ୍ଠ ତାରକା

ତମେ ତ ମାନସୀ ଜଣେ,

ଅନେକ ସ୍ୱପ୍ନର ଶ୍ରେଷ୍ଠ ନାୟିକା

ତମେ ତ ରୂପସୀ ଜଣେ

ଅନେକ ସ୍ମୃତିର ମମ୍‌ତାଜ ତୁମେ

ତୁମେ ମୋ ମମତାମୟୀ ।୧।

 

ବହୁ ନୟନର ଆକର୍ଷଣ ତୁମେ

ତୁମେ ଗୋ ଚିତ୍ରାଙ୍ଗିନୀ,

ଅନେକ ଗୁଣର ପରିଭାଷା ତୁମେ

ତୁମେ ଗୋ ସୀମନ୍ତିନୀ

ତମେ ହିଁ ଆରମ୍ଭ ତମେଇ ତ ଶେଷ ।

ତୁମରି ଉପମା ନାହିଁ ।୨।

 

।। ତିନି ।।

 

ତୁମରି ସ୍ମୃତିର ଭସ୍ମ ଅଞ୍ଜଳି

ଶରୀରରେ ବୋଳି ମୁହିଁ,

କବନ୍ଧ ସାଜି ମୁଁ ଉପାସନା କରେ

ମାଧବୀ ଫଗୁଣ ପାଇଁ ।୦।

ଅମଉଳା ତୁମେ ମୋ ମନ ଆକାଶେ

ଚନ୍ଦ୍ରଉଦିଆ ହୀରା,

ଅପାସୋରା ତୁମେ ସାହାରା ମରୁରେ

ନିରିଝର ନୀର ଧାରା

ସପନ ରାଇଜେ ମାନସୀ ଗୋ ତୁମେ,

ତୁମ ବିନା ନାହିଁ ମହୀ ।୧।

ସାଗର ଗରଭେ ଶାମୁକା ଭିତରେ

ସାଇତା ମୁକୁତା ସମ,

ତୁମରି ସପନ ବିଭବ ସମ୍ଭାର

ଅମାପ ଅମୂଲ ଧନ

ତୁମରି ସ୍ମୃତିର ମନ ପିଆଲାରେ

ପୀୟୁଷ ଦେଇଛି ପିଇ ।୨।

Image

 

ନିମାଇଁ ମହାନ୍ତି

୧୯୫୩

 

।। ଏକ ।।

ମୟୂରପଙ୍ଖୀ ଏଇ ମନ ମୋର

ଝିଲିମିଲି ଝିଲିମିଲି ରଂଗ ଯେ ତାର

ସେ ରଂଗରେ ରଂଗେଇଚଟି ମୋ ଗୀତର ସୁର ।୦।

 

ଟିକିଏ ସୁରରେ ମୋର ମନ ମାନେ ନାହିଁ

ଅଳପ କଥାରେ ମୋର ଗୀତ ସରେ ନାହିଁ

ହଜାରେ ଫୁଲର ରଂଗ ଭରିଚି ଏ ମନେ

ହଜାରେ କାକଳି ଶୁଭେ ଏଇ ମନବନେ

ସେ ସୁରରେ ଭାସିଯାଏ କାହିଁ କେତେଦୂର ।୧।

 

ହୁଏତ ଏମିତି ଦିନ କେବେ ଆସିପାରେ

ନଥିବି ମୁଁ ଏଠି ଆଉ ତୁମ ଗହଣରେ

ଘେରିବ ଶିଉଳିଲତା ପଥର ଘାଟରେ

ଜମିଯିବ ଧୂଳି ଯେତେ ତାନ୍‌ପୁରାଟାରେ

ପବନରେ ଭାସୁଥିବ ମୋ ହଜିଲା ସୁର ।୨।

 

।। ଦୁଇ ।।

 

ସୁରା ନୁହେଁ ଥାଉ, ଢାଳି ଦିଅ ଟିକେ ସୁର,

‘ଶୁଦ୍ଧ’ ରୁ କିଛି ‘କୋମଳ’ ରୁ କିଛି,

କିଛିଟା ‘ତୀବ୍ର’ ସୁର ।୦।

 

ମଧୁଶାଳା ନୁହେଁ ଆଜି ଆସରରେ

ପାହିବ ମୋ ରାତି ସୁରର ନିଶାରେ;

‘ଭୈରବୀ’ ଟିକେ ‘ଦରବାରୀ’ ଟିକେ,

ଭରିଦିଅ ‘ମଲ୍‌ହାର’ ।୧।

 

କଣ୍ଠ ମୋ ଯେବେ ‘ଉଦାରା’ ରୁ ଯାଇ

‘ମୁଦାରା’ ରୁ ପୁଣି ‘ତାରା’ ଦେବ ଛୁଇଁ

ତାରାମାନେ ସବୁ ଝୁମିବେ ଆବେଶେ

ଫିଙ୍ଗିବେ ଶିଶିର-ହାର ।୨।

 

॥ ତିନି ॥

 

ମୁଁ ଏମିତି ସଳିତାଟିଏ

ମୋର ଦୁଇପାଖ ଜଳିଯାଏ ।୦।

 

ବାହାରେ ଜଳେ ମୁଁ ଦୁନିଆ ଆଖିରେ

ସରୁ ଶିଖାଟିଏ ହୋଇ,

ଭିତରେ ଜନେ ମୁଁ ଗୁମୁରି ଗୁମୁରି

ଦେଖିପାରେ ନାହିଁ କେହି

ଏମିତ ଜଳିବା ଜେତେ ଯେ ଦୁଃଖ

ଜାଣେ ଯିଏ ବୁଝେ ସିଏ ।୧।

 

ଅନ୍ଧାର ପିର ଆଲୁଅ ଦିଏ ମୁଁ

ସାରା ଗାତି ଚାହିଁ ଚାହିଁ,

ସଜ ସକାଳକୁ ମୁଁ ରହିଥାଏ

ରେଖାଏ ପାଉଁଶ ହୋଇ

ମୁଁ ଜଳିଯାଏ, ଦୀପ ତ’ ଜଳେନା

ବାହା ବାହା ସିଏ ନିଏ ।୨।

Image

 

ହୃଷୀକେଶ ପଣ୍ଡା

୧୯୫୩

 

।। ଏକ ।।

ଚନ୍ଦ୍ରଭାଗାର ବେଳାଭୂମି ପରେ

ତୁମେ କି ବିଗତ ଯୌବନା

ଏବେବି ତୋଳୁଚ ନୀରବ ନିଶିଥେ

ଶିଳାର ସଂଗୀତେ ମୂର୍ଚ୍ଛନା ।୦।

 

ନୀରବିତ କରିପାରିନି ସାଗର

ନୂପୁର ନିକ୍ଵଣ ତା’ର

ଶ୍ରାବଣ ପାରିନି ଭିଜାଇ ଚିକୂର

ଧୋଇନି କଜ୍ଵଳ ଗାର

ଆଜିବି ଢାଳୁଛି କିଶୋରୀ ଚନ୍ଦ୍ରମା

ମଧୁଝରା ପ୍ରୀତି ଜୋଛନା ।୧।

 

ଶିଳ୍ପୀ ମନର ଯାଦୁଘରେ ତୁମେ

ଯଉବନ- ଅଭିଲେଖ

ବାଲୁକା ଶେଯରେ ରୂପସୀ ଲଳନା

ଚାରୁକଳା କୋଣାରକ

ଆଜି ବି ଖେଳୁଛି ଅଂଗେ ଅଂଗେ ତୁମ

ରଂଗଭରା ଶତ ସୁଷମା ।୨।

 

।। ଦୁଇ ।।

 

ଏପାଖେ ଜଳୁଛି ଏନ୍ତୁଡ଼ିର ନିଆଁ

ସେପାଖେ ଜଳୁଛି ଜୁଇ

ଏ ଦୁଇ ମଝିରେ ଏଇ ଯେ ଦୁନିଆ

ଜୀବନର ଖେଳଭୂଇଁ ।୦।

 

ଏନ୍ତୁଡ଼ି ନିଆଁର ଶିଖାଟିଏ କେବେ

ପ୍ରଣୟ-ପ୍ରଦୀପ ଜାଳେ

ଜୁଇର ଶିଖାରେ ସ୍ମୃତିର ଦୀପାଳି

ମନ-ମଶାଣୀରେ ଜଳେ

ହସ କାନ୍ଦ ଭରା ପ୍ରେମର ପୃଥୀବି

ଆଲୁଅ-ଅନ୍ଧାର ନେଇ ।୧।

 

ଗୋଟିଏ ଶିଖାରେ       ଉଦୟ ରାଗର

ଅରୁଣ ରଂଗର ବିଭା

ଅନ୍ୟ ଶିଖାରେ ଅସ୍ତରାଗର

ବିଦାୟର ବିଭୀଷିକା ।

ଭଂଗା-ଗଢ଼ାର ସୀମାରେଖା ଡେଇଁ

ଜୀବନ ରହିଛି ଚାହିଁ ।୨।

 

।। ତିନି ।।

 

ତୁମେ ମୋ ମନର କଳାର କୋଣାର୍କ

-ମନ୍ଦିରର ମୁଖଶାଳା

ପାଷାଣ ବୁକୁରେ ଅଳସୀ ଲଳନା

ମୋ ଆକାଶେ ସଂଧ୍ୟାତାରା ।୦।

ଇନ୍ଦ୍ରସଭାର ଉର୍ବଶୀ ତୁମେ

ଦେବ ଅଭିଶାପ ବହି

ରହିଗଲ ଏଇ କୋଣାରକ ଦେହେ

ପାଷାଣ ପ୍ରତିମା ହୋଇ

ଶିଳ୍ପୀ ମୁଁ ଆଜି ଆଂକିଯାଏ ଖାଲି

ଅନୁପମ ଚାରୁକଳା ।୧।

ପୋଛିନେବ ଦିନେ ମହାକାଳ ହାତ

ପାଷାଣ ଓଠରୁ ହସ

ଫେରିଯିବ ତୁମେ ଇନ୍ଦ୍ରସଭାକୁ

ଅଭିଶାପ ହେଲେ ଶେଷ

ବେଳାଭୂମି ପରେ ଛାଡ଼ିଯିବ ଖାଲି

ସ୍ମୃତିର ଭଗ୍ନଶିଳା ।୨।

Image

 

କମଳ କୁମାର ପଟ୍ଟନାୟକ

୧୯୫୩

 

।। ଏକ ॥

ମୋର ଉଦାସୀ ମନର

ମାଟି କାନ୍ଥରେ ଲେଖିଦେଲ ଯେଉଁ ଝୋଟି,

ଏବେ ଫଗୁଣ ଗଲାଣି

ତଥାପି ଜୀବନେ ଫୁଲ କେତେ ଯାଏ ଫୁଟି ।୦।

 

ମୋର ସ୍ଵପ୍ନ ବିଳାସୀ

ଆଖିର ଆକାଶେ ଇନ୍ଦ୍ରଧନୁର ଛଟା,

ଏଇ ଜୁଆର-ଭଟ୍ଟାର

ଜୀବନଟା ସତେ-ଲାଗେ ମତେ ମିଠା ମିଠା ।

ସବୁ ଦୁଃଖ ଅରମା ଯାଏ ଅପସରି

ତୁମକୁ ପଥେ ମୋ ଭେଟି ।୧।

 

ମୋର ବିତି ଯାଇଥିବା

ଦିନ ଫେରିଆସେ ଜୀବନର ନଈ ତୁଠେ,

ମୋର ଆଶାର ଦୀପାଳୀ

ଲିଭି ଯାଉ ଯାଉ ଆଉ ଥରେ ଜଳିଉଠେ

ମନେ ଭଲ ପାଇବାର ମହକ ଛୁଟିଲେ

ନୂଆ ରାହା ଯାଏ ଫିଟି ।୨।

 

।। ଦୁଇ ।।

 

ତୁମେ ତନ୍ଦ୍ରା ବିଭୋର ଘନ ତମସାର

ତାମସୀ ତରୁଣୀଟିଏ,

ମୁଁ ଯେ ଉର୍ମି ଅଧୀର ଶୋଷର ସାଗର

ସଂଗ ତୁମର ଚାହେଁ ।୦।

 

ତୁମେ ଅଙ୍କା-ବଂକା ନଈର ଦେହରେ

ଜହ୍ନର ମିଠା ଖେଳ,

ମୁଁ ଯେ ପ୍ରଣୟ-ପିଆସୀ ତୁମରି ଆଶାରେ

ପିଉଚି ପ୍ରୀତିର ଜଳ

ମୋର ହୃଦୟର ଶୋଷ ହେବ ନାହିଁ ଶେଷ

ତୁମକୁ ପାଇବା ଯାଏଁ ।୧।

 

ତୁମେ ସଂଜ-ଦୀପର ସଳିତା ଓଠରେ

କାମନାର ନୀଳ ଶିଖା,

ମୁଁ ଯେ ପହିଲି ଫଗୁଣ ପାଗଳ ପବନ

ହୁଏ ନାହିଁ କେବେ ଥକ୍କା

ମୋର ଛୁଇଁବାକୁ ମନ ତୁମ ତନୁ -ମନ

ହୃଦୟ ଭରିବା ଯାଏଁ ।୨।

 

।। ତିନି ॥

 

ମୁଁ ଯେ ଦୀପତଳ ଛାଇ

ଅନ୍ଧାର ଅନୁଭୂତି,

ଜୀବନରେ କିଛି ପାଇନାହିଁ ହେଲେ–

ପାଇଚି ଖାଲି ମୁଁ ତାତି ।୦।

ତାତିରେ ତାତିରେ ଜୀବନର ଗତି

ଧୂମେଇ ପଡ଼ିଚି ମୋର,

ଛାତିରେ ଛାତିରେ ବହଳ ବ୍ୟଥାର

ଗଭୀର ଲୋହିତ ଗାର

ଲୋତକ ନଦୀରେ ନୟନ ପଖାଳି

ନୀରବେ ମାଗୁଚି ପ୍ରୀତି ।୧।

ସରିନି ସରିନି ସମୟ ମୋହର

ଆହୁରି ଅଛି ତ ବାକି,

କେହି ଅଛ ଯଦି ଆପଣାର ଅତି

ମରମରେ ଦିଅ ଲେଖି

ପ୍ରେମର କବିତା, ଜଳାଇ ସଳିତା

ବିରହ ବେଦନା କାଟି ।୨।

Image

 

ସତ୍ୟ ପଟ୍ଟନାୟକ

୧୯୫୪

 

।। ଏକ ।।

ବର୍ଷା ହେଲେ

ତୁମ କଥା ଭାରି ମନେପଡ଼େ

ଆମ ପ୍ରେମ କଥା

ଜାଣେ ଏଇ ବର୍ଷା

ଯେଉଁ କଥା ଚର୍ଚ୍ଚା ଚାରିଆଡ଼େ ।୦।

 

ଅନୂଢ଼ା କିଶୋରୀ ପରି

ନାଚେ ଏଇ ବର୍ଷା

ତା’ ମନରେ ତମ ଲାଗି

ଅସୁମାରି ଈର୍ଷା

ଭିଜା ଭିଜା ସଂଜରେ

ତୁମେ କେତେଦୂରେ ।୧।

 

ମେଘର ଓଢ଼ଣା ତଳୁ

ଦିଶେ ତୁମ ମୁହଁ

ଲାଜ ଲାଜ ଆଖି ଟେକି

ଦୁଷ୍ଟାମୀରେ ଚାହଁ

ଏତେବେଳେ ମନ କିଛି

ଅପରାଧ ଲୋଡ଼େ ।୨।

 

।। ଦୁଇ ।।

 

କାଲି ଯଦି ଆମ ଦେଖାହୁଏ

ଅଜାଣତେ ପାଦ ଥମିଯାଏ

କହିବାନି କଥା ପଦୁଟିଏ

ଚାଲିଯିବା ଯେଝା ବାଟେ ଯିଏ ।୦।

 

ତମେ ଚାହିଁଥିବ ନ ଚିହ୍ନିଲା ପରି

ମୁଁ ଚାହିଁଥିବି ନ ଜାଣିଲା ପରି

ମନ ହେଉଥିବ ଆଗେ ଦେଖିନିଏ

ଆସିଲାକି ଚିହ୍ନା ଲୋକ କିଏ ।୧।

 

ଆଖି ଖୋଜୁଥିବ ସେ ଦିନର ନିଶା

ଓଠ ଖୋଜୁଥିବ ସେ ଦିନର ଭାଷା

ପୁରୁଣା ଦିନକୁ ପୁଣି ଯୋଡ଼ିବାକୁ

ଖୋଜି ହେଉଥିବା ସୂତାଖିଏ ।୨।

 

।। ତିନି ।।

 

ଆଜିକାଲି ଚର୍ଚ୍ଚା, ଏଇ ସହରେ

କିଛି ତୁମ ନାରେ, କିଛି ମୋ ନାଁରେ ।୦।

 

ରିମ୍‌ଝିମ୍‌ କାହାଣୀର ଗୋଟେ ଛିଟ ପାରା

ଉଡ଼ିବୁଲେ ଭୋର୍‌ ହେଲେ ଏ ସହର ସାରା

କାନ୍ଥବାଡ଼େ ରଂଗ ଲାଗେ କେତେ ଢଂଗରେ ।୧।

 

ଝିଲ୍‌ମିଲ୍‌ ଖରାବେଳେ ନୀଳପରୀ ସାଜି

ଆମ ପ୍ରେମ ଘୂରିବୁଲେ ଛାତି ତଳ ଖୋଜି

ସଂଜବେଳ ଖର୍ଚ୍ଚ ହୁଏ ଆମ ଗପରେ ।୨।

 

ଚୁପ୍‌ଚାପ୍‌ ଏ ସହର ନିଦେ ଗଲେ ଶୋଇ

ମନତଳେ ଜହ୍ନପରି ତୁମେ ଆସ ଉଇଁ

ଗଳ୍ପ ଜମେ ସ୍ଵପ୍ନ ହୋଇ କେତେ ଆଖିରେ ।୩।

Image

 

କୃତ୍ତିବାସ ନାୟକ

୧୯୫୫

 

।। ଏକ ।।

କି ଶୁଭବେଳାରେ ଭେଟିଥିଲେ ଆମେ-ବୁଝିଲ ଅକୁହା ଭାଷା,

ସପନ ଦେଖାଇ ମୋ ମନ ନଚାଇ-ଜଗାଇଲ ନୂଆ ଆଶା ।୦।

 

ମୋ ପାଇଁ ରଚିଲ ଯେତେ ସବୁ ରାତି-

ଫଗୁଣର ମଧୁରାତି,

ଅଜାଣତେ କେବେ ଭରିଦେଲ ପୁଣି–

ଛାତିରେ ଛାତିଏ ତାତି

ଶିଖାଇଲ ତୁମେ ଚଖେଇଲ ତୁମେ-ଭଲ ପାଇବାର ନିଶା ।୧।

 

ଉଆଁସ ରାତିରେ ଜହ୍ନ ଦେଖାଇଲ-

ଜୋଚ୍ଛନାରେ ଧୋଇ ଧୋଇ,

ଅବଶ ଡେଣା ମୋ ଝାଡ଼ି ହୋଇଗଲା-

ପ୍ରୀତିର ସଂଗୀତ ଗାଇ ।

ନିଜ ହାତେ ପୁଣି ପ୍ରୀତି ନୀଡ଼ ଭାଂଗି-କର ଏବେ ଲୋକହସା ।୨।

 

।। ଦୁଇ ।।

 

ପ୍ରଥମ ପ୍ରୀତିର ଗୀତିଭରା ଦିନ ଲୁହରେ ଯାଇଛି ଭିଜି,

ସଞ୍ଜରେ ମଉଳା ବାସହୀନ ଫୁଲ ଅଲୋଡ଼ା ହୋଇଛି ଆଜି ।୦।

 

ମୋର ଚଲାପଥେ ଅନେକ ଯନ୍ତ୍ରଣା ମରୁବାଲି ମରିଚିକା,

ଚାଲୁଛି ମୁଁ ଆଜି ମଥାରେ ଲଗାଇ ପ୍ରେମର କଳଙ୍କ ଟିକା ।

ପ୍ରତାରଣା ଢେଉ କେତେ ମୁଁ ଭାଂଗିବି

କୁଳ ପାଉନାହିଁ ଖୋଜି ।୧।

 

ହତାଶାର ସେହି ଘନ ଅନ୍ଧକାରେ ଲିଭି ଯାଇଛି ମୋ ରୂପ,

ଝଡ଼କୁ ମାଗୁଛି ତୁଚ୍ଛା ଅନୁରାଗ ଜାଳିବାକୁ ଆଶାଦୀପ

ମୋର ପରିଚୟ ମାନ ଅଭିମାନ

କେବେଠୁ’ ଯାଇଛି ହଜି ।୨।

 

।। ତିନି ।।

 

ତୁମରି ସ୍ମୃତି ମୋ ହୃଦୟ କନ୍ଦରେ-ଉଙ୍କିମାରେ ରହି ରହି,

ତୁମେ କହିଥିଲ ଭୁଲିଯିବା ପାଇଁ-ଜମା ଭୁଲି ପାରୁନାହିଁ ।୦।

 

ନିରାଶା ବାଲିରେ ବୁଲୁଥିଲି ମୁହିଁ–

ଅଲୋଡ଼ା ଅଖୋଜା ଅଳି,

ରାଜା ବଗିଚାରେ ମାଳି ସେବାପାଇ–

ତୁମେ ଖେଳୁଥିଲ ଦୋଳି

ମୋତେ ଡାକିନେଲ ପାଖକୁ ତୁମର–

ପ୍ରୀତିର ସଂଗୀତ ଗାଇ ।୧।

 

ତୁମେ ଗଢ଼ିଥିଲ ସପନ ରାଇଜେ-

ଆମରି ପ୍ରେମ ସହର,

ସେହି ସହରରେ ଆମ ପାଇଁ ଥିଲା–

ଫୁଲର ପ୍ରୀତି ନଅର

କିଏ ଭାଂଗିଦେଲା ଆମରି ସପନ-

ତୁମେ ହିଁ ପାରିବ କହି ।୨।

Image

 

ମନୋଜ ପଟ୍ଟନାୟକ

୧୯୫୫

 

।। ଏକ ॥

ଜୀବନ ସାଗର ମନ୍ଥନ କରି

ବନ୍ଧୁହେ, ଶୁଣ ଯା’ ମିଳୁଚି

ଚାହୁଁ ବା ନ ଚାହୁଁ ଏ ମଣିଷ ତାକୁ

କେବେ କି ଏଡ଼ାଇ ପାରିଚି ? ।୦।

 

କାମଧେନୁ ଆଜି ଦେଇପାରି ନାହିଁ

କା’ ସ୍ଵପ୍ନ କଳସ ଭରି

ତଥାପି ମଣିଷ ଆଶାରେ ଆଶାରେ

ଜନମ ଦଉଚି ସାରି,

ଲୁହର ଲହୁର ତାତିଲା ଝରଣା

ନିତି ନିତି ଝରି ଚାଲିଚି ।୧।

 

ଐରାବତ ଆଜି ରହିପାରି ନାହିଁ

କା’ ପାଖେ ଅଧୀନ ହୋଇ

ତଥାପି ମଣିଷ ଜିଇଁବା ନିଶାରେ

ଝୁମୁଚି ନିରାଶା ନେଇ,

ସୁଖରୁ ଅଳପ ଦୁଃଖରୁ ଅନେକ

ଏ ମଣିଷ ପାଇ ଚାଲିଚି ।୨।

 

।। ଦୁଇ ।।

 

ଶିଳ୍ପୀଟିଏ ମୁଁ ବଞ୍ଚିରହିଚି

ବାଦଶାହୀ ମନ ନେଇ

ଅବଶୋଷ ନାହିଁ ଜୀବନରେ ମୋର

ସୁଖ ଅବା ଦୁଃଖ ପାଇଁ ।୦।

ଅନେକ ମଧୁର ଲଗ୍ନ ପାଇଚି

ଅନେକ ବିଧୁର ଲଗ୍ନ ସହିଚି,

ପାଇବାରେ ଅବା ସହିବାରେ ମୋର

କିଛି ଯାଏ ଆସେ ନାହିଁ ।୧।

ଅନେକ ନିନ୍ଦାର ପ୍ରଶ୍ନ ଉଠିଚି

ଅନେକ ପ୍ରଶଂସା ପ୍ରଶ୍ନ ଲୁଚିଚି,

ପ୍ରଶଂସାରେ ଅବା ନିନ୍ଦା ପାଇଁ ମୋର

ସାଧନା ଅଟକି ନାହିଁ ।୨।

ଅନେକ ଅଭୁଲା ସ୍ୱପ୍ନ ସରିଚି

ଅନେକ ଅଧୁରା ସ୍ଵପ୍ନ ରହିଚି

ଅଭିଳାଷ ମୋର ଜନ୍ମ ନେବାକୁ

ଆଉଥରେ ଶିଳ୍ପୀ ହୋଇ ।୩।

 

।। ତିନି ।।

 

ପ୍ରେମ କରିବାକୁ

କିଏ କହୁ ପାପ, ସେଇ ପାପ ଭଲ ଲାଗେ

ପ୍ରେମ କରିବାକୁ

କିଏ କହୁ ପୁଣ୍ୟ, ସିଏ ବି ତ ଭଲଲାଗେ ।୦।

ପ୍ରେମ କରି କେହି

ପାଉକି ନ ପାଉ ପାରିଜାତ ଜୀବନରେ

ହେଲେ ପ୍ରେମ ପରା

ମଧୁମୟ ହୁଏ ପଳାଶ ବି ମିଳିଗଲେ,

ପ୍ରେମକରି ଯଦି

ଶାମୁକା ବି ମିଳେ ମୁକୁତାଠୁ ଭଲଲାଗେ ।୧।

ପ୍ରେମ କରି କେହି

ଦେଖୁ ବା ନଦେଖୁ ସରଗକୁ କେବେ ଥରେ

ହେଲେ ପ୍ରେମ ପରା

ସୁଖମୟ ହୁଏ ନୀଡ଼ଟିଏ ରଚିଦେଲେ

ପ୍ରେମ କରି ଯଦି

ଜହର ବି ମିଳେ ଅମୃତଠୁ ଭଲ ଲାଗେ ।୩।

Image

 

ମୀନାକ୍ଷୀ ଦେବୀ

୧୯୫୫

 

।। ଏକ ।।

ମୁଁ ତ ଜଳୁଛି ଯାତନା ନିଆଁରେ

ଜୁଇ ପାରିବନି ଜଳାଇ ମୋତେ

ମୁଁ ତ ଭାସୁଛି ଦୁଃଖ ସାଗରେ

ଲୁହ ପାରିବନି ଭସାଇ ମୋତେ ।୦।

 

ଜୀବନେ ପାଇନି

ସବୁକିଛି ଥାଇ

ପଣତ ପାତିବି

କୋଉ ମୁହଁ ନେଇ

ମୁଁ ତ ହାରିଛି ଜୀବନ ଜୁଆରେ

ନିଶା ପାରିବନି ଜିତାଇ ମୋତେ ।୧।

 

ଚଲାପଥେ ମୋର

ଫୁଲ ଆଶା କରି

କଣ୍ଟାରେ ଚାଲି

ଶେଷେ ଥକି ଗଳି,

ମୁଁ ତ ଶୋଇଛି ମରଣ ଶେଯରେ

ଆଶା ପାରିବନି ଜଗାର ମୋତେ ।୨।

 

।। ଦୁଇ ।।

 

ଫୁଲ ବଦଳେ ମିଳିବ ଫୁଲ ଇମିତି କଥା ନାହିଁ

ମନ ଦେଲେ ଯେ ମନ ମିଳିବ ନିୟମ ଲେଖା ନାଇଁ ।୦।

 

ଦେବା ସହଜ ହେଲେ ପାଇବା

ଟିକେ ସହଜ ନୁହେଁ

ଏଇ ମାମୁଲି କଥା ଜାଣିବି

ମନ ଅବୁଝା ହୁଏ

ଫଳରେ ହୁଏ ମନରେ ଆଉ ଖୁସି ଚହଲେ ନାଇଁ ।୧।

 

ଜଗତେ ତୁମେ ପାରିବ ଯେତେ

ଦାନ ଜୀବନେ ଦିଅ

ହେଲେ ମନରୁ ପ୍ରତିଦାନର

କଥାଟି ଭୁଲି ଯାଅ

ଦେବାକୁ ଆଉ ମରିବା ପାଇଁ

ଚାହେଁନା କେବେ କେହି ।୨।

 

।। ତିନି ।।

 

ସାଗର ବେଳାରେ କେତେ ପଦଚିହ୍ନ

ବେଳାର କି ଯାଏ ଆସେ

ମରମ ବେଳାର ଗୋଟିଏ ଚିହ୍ନକୁ

ମନେ ଯେ ସାଇତି ବସେ ।୦।

 

ଆକାଶେ ଥିଲେ ବି ଲକ୍ଷ ତାରକା

ରାତିଟା କେମିତି ଲାଗେ ଫିକା ଫିକା

ମନ ଆକାଶର ଗୋଟିଏ ତାରକା

ଚନ୍ଦ୍ରମା ପରି ଦିଶେ ।୧।

 

ହଜାରେ କବିତା ହେଲେ ସୁଖେ ଲେଖା

ମନେ ସେ ଟାଣେନା ଚିରଜୀବୀ ରେଖା,

ଲହୁ, ଲୁହେ ଲେଖା ଗୋଟିଏ କବିତା

ମରମ ସାଗରେ ଭାସେ ।୨।

Image

 

ବିଷ୍ଣୁ ପ୍ରସାଦ ପଟ୍ଟନାୟକ

୧୯୫୫

 

।। ଏକ ॥

ମନ ଚାହେଁ ମନଟିଏ

ଆପଣାର କରିବାକୁ

ପାଇଗଲେ ତା’ ପାଖରେ

ମନକଥା କହିବାକୁ ।୦।

ହେଲେ ମନ ପାଏ ନାହିଁ

ଯାହା ସିଏ ଚାହୁଁଥାଏ

ତାକୁ ଖାଲି ଚାହିଁ ଚାହିଁ

ଜୀବନଟା ବିତିଯାଏ

ଆଦରି ନେବାକୁ ହୁଏ ଜୀବନରେ ହତାଶାକୁ ।୧।

ଆଜିକାଲି ଦୁନିଆରେ

କାହାକୁ ବା ବେଳ ଅଛି

ଅର୍ଥର ପଛେ ଖାଲି

ଧାଇଁ ଧାଇଁ ସେ ଚାଲିଚି

କିଏବା ଚାହୁଁଚି ଏଠି ମନଟାକୁ ବୁଝିବାକୁ ।୨।

ଏଠି ଖାଲି ଦେହ କଥା

ମନ କିଏ ବୁଝେ ନାହିଁ

ସବୁ କିଛି ଚାଲିଅଛି

କେବଳ ଏ ଦେହ ପାଇ

କେହି ଏଠି ଚାହୁଁନାହିଁ ମନଟିଏ ଖୋଜିବାକୁ ।୩।

 

।। ଦୁଇ ।।

 

ଆଖିର ଲୁହରେ ଜୀବନର ଗୀତ

ଯଦି ଲେଖା ହୋଇନାହିଁ

ସେ ଗୀତର ସୁର କେବେବି କାହାର

ମନ ଛୁଇଁ ପାରେ ନାହିଁ ।୦।

 

ଆଶା ନିରାଶାର ମଝିରେ ଜୀବନ

ନିତି ଖାଲି ଝୁଲୁଥାଏ

ହାରିବା ଜିତିବା ଚାଲେ ସବୁଦିନ

ଜୁଆଖେଳ ପରି ଇଏ

ଏ ଜୁଆ ଖେଳକୁ ବୁଝେନାହିଁ ଯିଏ

ଜୀବନକୁ ଜାଣେ ନାହିଁ ।୧।

 

ମନ ଦିଆନିଆ ଅଢ଼େଇ ଦିନିଆ

ହୁଏ ଯଦି ଜୀବନରେ

ସେ ଜୀବନ ଥାଇ ନଥାଇ ବା କେତେ

ଲିଭିଯାଉ ମରଣରେ ।

ମରଣରେ ଯଦି ଆହା ନ ମିଳିଲା

ସେ ମରଣେ ଲାଭ ନାହିଁ ।୨।

 

।। ତିନି ।।

 

ଜୀବନଟା ଏକ ଗୋଲାପର ଫୁଲ

ନିମିଷେ ମଉଳି ଯାଏ

ଗୋଲାପର ତଳେ କଣ୍ଟକ ପୁଣି

ଲୁଚିଲୁଚି ରହିଥାଏ ।୦।

ଜୀବନଟା କେବେ ଫୁଲର ସୁରଭି

ଭରିଯାଏ ମହକରେ

ଫୁଲର କଅଁଳ ପାଖୁଡ଼ା କେବେ ତ

ଝରିଯାଏ ଅକାଳରେ

କଣ୍ଟକ ଫୁଟି ରକତ ଝରଇ

ଯାତନାରେ ଜଳିଯାଏ ।୧।

ଏ ଜୀବନ ସୁଖ ପସରା ଖୋଜଇ

ଦୁଃଖକୁ ଚାହେଁ ନାହିଁ

ଚାହୁଁବା ନ ଚାହୁଁ ଜୀବନେ ଦୁଃଖ

ବେଳେବେଳେ ଆସିଯାଇ

ଜୀବନ କଳିକା ବ୍ୟଥା ବେଦନାରେ

ଅକାଳରେ ଝରିଯାଏ ।୨।

Image